ଝଲସିବ ସାନଘାଗରା, ଖଣ୍ଡାଧାର; ଦୁଇ ପର୍ଯ୍ୟଟନ କ୍ଷେତ୍ର ପାଇଁ ୭ କୋଟି ମଞ୍ଜୁର

କେନ୍ଦୁଝର/ବାଂଶପାଳ : ଦୀର୍ଘଦିନ ପରେ ସରକାର କେନ୍ଦୁଝରର ଦୁଇ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପାଇଁ ହାତ ଖୋଲି ଦେଇଛନ୍ତି। ସାନଘାଗରା, ଖଣ୍ଡାଧାରର ବିକାଶ ପାଇଁ ସରକାର ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଉଭୟ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି କାର୍ଯ୍ୟ କରାଯିବ। ସୌନ୍ଦର୍ଯ୍ୟକରଣ, ଜେଟି ଆଦି ବ୍ୟବସ୍ଥା ମଧ୍ୟ କରାଯିବ। ୱାଚ୍‌ ଟାୱାର ସାଙ୍ଗକୁ ଜେଟି ତିଆରି ଭଳି ଏକାଧିକ ପ୍ରକଳ୍ପ ସ୍ଥାପନ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ସାନଘାଗରାର ଭିତ୍ତିଭୂମିକ ବିକାଶ ପାଇଁ ସରକାର ୪ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ଯୋଗାଇ ଦେଇଥିବା ବେଳେ ଖଣ୍ଡାଧାରର ବିକାଶ ପାଇଁ ୨କୋଟି ୭୮ ଲକ୍ଷ ୧୬ ହଜାର ଯୋଗାଇ ଦେଇଛନ୍ତି। ଖୁବଶୀଘ୍ର ଏହି ଦୁଇ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯିବ ବୋଲି ଜଣାଯାଇଛି। ସାନଘାଗରା ପରିସରରେ ଭଲ ଶୌଚାଳୟ (ଟଏଲେଟ୍ ବ୍ଲକ )ପାଇଁ ୪୦ ଲକ୍ଷ୪୮ହଜାର ଟଙ୍କା, ପାଚେରି ପାଇଁ ୧୬ଲକ୍ଷ ୯୬ ହଜାର୯୯୫ ଟଙ୍କା, ପ୍ରବେଶ ପଥ ପାଇଁ ୭ଲକ୍ଷ, ୨୮ ହଜାର ୫୯୦ ଟଙ୍କା, ପାଦଚଲା ରାସ୍ତା ପାଇଁ ୧୯ ଲକ୍ଷ ୩୪ ହଜାର ୭୮୩ ଟଙ୍କା, ପାର୍କିଂ ବ୍ୟବସ୍ଥା ପାଇଁ ୪୫ ଲକ୍ଷ ୩୩ହଜାର ୬୧୪ ଟଙ୍କା, କ୍ଷେତ୍ରଟିର ପରିପାର୍ଶିକ ଉନ୍ନତୀକରଣ ଏବଂ ସୌନ୍ଦର୍ଯ୍ୟୀକରଣ ପାଇଁ ୪୦ ଲକ୍ଷ ୪୮ ହଜାର ୮୨୨ ଟଙ୍କା, ପରିମଳ ପରିଚାଳନା ପାଇଁ ୮ ଲକ୍ଷ୨୦ ହଜାର ଟଙ୍କା, ସାନଘାଗରାରେ କାଫେଟେରିଆ ନିମନ୍ତେ ୪୧ଲକ୍ଷ ଟଙ୍କା, ବିଭିନ୍ନ ସ୍ଥାନରେ ନାମଫଳକ ଲାଗିବା ନିମନ୍ତେ ୪ଲକ୍ଷ ୦୪ ହଜାର ୯୦୦ ଟଙ୍କା, ଫୋଟୋଗ୍ରାଫି ଜୋନ୍ ନିର୍ମାଣ ପାଇଁ ୮ ଲକ୍ଷ ୦୯ ହଜାର ୬୦୦ ଟଙ୍କା, ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ୮ ଲକ୍ଷ ୦୯ ହଜାର ୧୬୫ ଟଙ୍କା, ଜେଟି ଓ ତାର ଭିତ୍ତିଭୂମିର ବିକାଶ ପାଇଁ ୪୮ ଲକ୍ଷ ୫୭ ହଜାର ୬୦୦ ଟଙ୍କା, ସାନଘାଗରାରେ ନିରୀକ୍ଷଣ ଶୌଧ ବା ୱାଚ୍‌ ଟାୱାର ନିର୍ମାଣ ପାଇଁ ୩୨ ଲକ୍ଷ ୩୮ ହଜାର ୯୦୬ ଟଙ୍କା, ଚଲାପଥ ନିମନ୍ତେ ୩୨ ଲକ୍ଷ ୩୭ ହଜାର ୧୧୩ ଟଙ୍କା ମଞ୍ଜୁର କରାଯାଇଛି।

ବାଂଶପାଳ ବ୍ଲକରେ ଅବହେଳିତ ହୋଇ ପଡିଥିବା ପ୍ରସିଦ୍ଧ ଖଣ୍ଡାଧାର ଜଳପ୍ରପାତ ପାଇଁ ୨କୋଟି ୭୮ ଲକ୍ଷ ୧୬ ହଜାର ୮୯୯ ଟଙ୍କା ମଞ୍ଜୁର ହୋଇଛି। ଏହି ଟଙ୍କା ବିନିମୟରେ ଖଣ୍ଡାଧାର ଜଳପ୍ରପାତ ଝଲସିବ। ଏହାର ଭିତ୍ତିଭୂମି ବିକାଶ କରାଯିବ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକଙ୍କ ପାଇଁ ଟଏଲେଟ୍ ନିର୍ମାଣ ସହିତ ପାଚେରି ନିର୍ମାଣ, ପାର୍କିଂ ବ୍ୟବସ୍ଥା, ପ୍ରବେଶପଥ, ଜେଟି, ପିଇବା ପାଣିର ବ୍ୟବସ୍ଥା, ଫଟୋଗ୍ରାଫି ଜୋନ, ବିଦ୍ୟୁତକରଣ, ୱାଚ ଟାୱାର ଆଦି ନିର୍ମାଣ କରାଯିବ।

ପାଇଖାନା ପାଇଁ ୨୪ଲକ୍ଷ ୨୮ ହଜାର ମଞ୍ଜୁର କରାଯାଇଥିବା ବେଳେ ପାଚେରି ନିର୍ମାଣ ପାଇଁ ୧୪ଲକ୍ଷ ୧୪ହଜାର, ପ୍ରବେଶ ପଥ ପାଇଁ ୬ଲକ୍ଷ ୭ ହଜାର, ପାର୍କିଂ ବ୍ୟବସ୍ଥା ପାଇଁ ୧୪ଲକ୍ଷ ୧୬ହଜାର, ପିଇବା ପାଣି ପାଇଁ ୮ଲକ୍ଷ ୯ଜହାର, ସୌନ୍ଦର୍ଯ୍ୟକରଣ ପାଇଁ ୪ଲକ୍ଷ, ଜେଟି ପାଇଁ ୩୬ଲକ୍ଷ ୪୩ ହଜାର ମଞ୍ଜୁୁର କରାଯାଇଛି। ଏହି ସବୁ କାର୍ଯ୍ୟ ହେଲେ ଖଣ୍ଡାଧାର ଝଲସିବ। ପ୍ରାକୃତିକ ଶୋଭାଶିରିରେ ମଣ୍ଡିତ ଏହି ଜଳପ୍ରପାତ ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବ। ପର୍ଯ୍ୟଟକଙ୍କ ହା‌ରରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

ପୂର୍ବରୁ ରହଣି, ଶୌଚ, ପାନୀୟ ଜଳ, ବିଜୁଳି ଆଲୁଅ ସହିତ ଅନ୍ୟ କୌଣସି ସୁବିଧା ନଥିଲା। ଫଳରେ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଖଣ୍ଡାଧାରର ବିକାଶ ପାଇଁ ଅଚଂଳବାସୀ ବାରମ୍ୱାର ଦାବି କରିଆସୁଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ବାରବାର ଲୋକେ ଦାବି କରିଆସୁୁଥିଲେ। ଆଜି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅନୁଦାନ ଯୋଗାଇ ଦେବାକୁ ମଞ୍ଜୁରି ଦେଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର