ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ରାଣୀବେଡା ଗ୍ରାମ ନୂଆସାହିର ଦିବ୍ୟାଙ୍ଗ କୃତ୍ତିବାସ ନାଏକଙ୍କ ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି। ଜମିବାଡ଼ି ଥିଲେ ମଧ୍ୟ ସେ ଚାଷ କରିପାରୁ ନାହାନ୍ତି। ରାସନ ଚାଉଳ ସାଙ୍ଗକୁ ମା’ଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ତାଙ୍କୁ ମିଳୁଥିବା ଭିନ୍ନକ୍ଷମ ଭତ୍ତାରେ ତାଙ୍କ ୭ଜଣିଆ ପରିବାର ଚଳୁଥିବା କୃତ୍ତିବାସ କହିଛନ୍ତି।

Advertisment

୨୦୦୯ ମସିହାରେ କୃତ୍ତିବାସଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଥିଲା। ପ୍ରଥମ କିସ୍ତି ବାବଦକୁ ମିଳିଥିବା ୫ ହଜାର ଟଙ୍କାରେ ସେ ଘର କରିବା ପାଇଁ ବାଲି ଓ ପଥର କିଣି ଆଣି ଗଦା କରିଥିଲେ। ପରେ ଜଣେ ଠିକାଦାର ତାଙ୍କ ଘର କରିଦେବେ ବୋଲି କହି ପଥର, ବାଲି ନେଇଯାଇଥିଲେ। ଠିକାଦାର ଆଉ ଘର କଲେନି କି କୃତ୍ତିବାସଙ୍କୁ ପରବର୍ତ୍ତୀ କିସ୍ତି ବାବଦକୁ ଟଙ୍କା ମିଳିଲା ନାହିଁ। ସେବେଠାରୁ ସେ ଭଙ୍ଗାଦଦରା ଘରେ ରହିଛନ୍ତ। ଏନେଇ ସ୍ଥାନୀୟ ସରପଞ୍ଚ ବାଗୁନ ଚାମ୍ପିଆଙ୍କୁ ପଚାରିବାରୁ, କୃତ୍ତିବାସ ଓ ତାଙ୍କ ମା’ ଜେନାମଣିଙ୍କୁ ଭତ୍ତା ଦିଆଯାଉଛି। ଆବାସ ହିତାଧିକାରୀ ତାଲିକାରେ ତାଙ୍କ ନାମ ନଥିବାରୁ ଘର ମିଳିପାରି ନାହିଁ। ଖୁବ ଶୀଘ୍ର ତାଙ୍କୁ ଘର ଦିଆଯିବ ବୋଲି ସେ କହିଛନ୍ତି।