ବ୍ୟାଙ୍କ ଲୁଟ୍‌ ଯୋଜନା ବିଫଳ, ୯ ଅନ୍ତରାଜ୍ୟ ଲୁଟେରା ଗିରଫ

ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ

କେନ୍ଦୁଝର: ବ୍ୟାଙ୍କ ଲୁଟ୍‌ ଯୋଜନା ବିଫଳ ହୋଇଛି। କେନ୍ଦୁଝର ସଦର ଥାନା ପୁଲିସ ୯ଜଣ ଅନ୍ତରାଜ୍ୟ ଲୁଟେରାଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି। ଗିରଫ ହୋଇଥିବା ଲୁଟେରାମାନଙ୍କ ମଧ୍ୟରୁ ୪ଜଣ ଝାରଖଣ୍ଡରେ ବୋଲି ପୁଲିସ କହିଛି। ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବୁଧବାର ପୁଲିସ କହିଛି, ବ୍ୟାଙ୍କ ଲୁଟ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇଁ ଅତର୍କିତ ଭାବରେ ଚଢ଼ାଉ କରାଯାଇ ଥିଲା। ପୁଲିସ ସେମାନଙ୍କଠାରୁ ଏକ କାରବାଇନ, ୪ଟି ପିସ୍ତଲ, ୧୮ ଜୀବନ୍ତ ଗୁଳି, ୪ଟି ବାଇକ, ମୋବାଇଲ ଓ ଅପରାଧ ପାଇଁ ବ୍ୟବହାର ହେବାକୁ ଥିବା ଅନ୍ୟ ସାମଗ୍ରୀ ଜବତ କରିଛି। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ୨୦ରୁ ଉର୍ଦ୍ଧ୍ୱ ମାମଲା ଥିବା ଜଣାପଡ଼ିଛି।

ସୁଆକାତିସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ଲୁଟ ପାଇଁ ଯୋଜନା ଚାଲିଥିବା ବେଳେ ଏସ୍‌ଆଇ ବିଜୟ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସଦର ଥାନା ପୁଲିସ ଦଙ୍ଗାପାଣି ଜଙ୍ଗଲରେ ଚଢ଼ାଉ କରିଥିଲା। ପୁଲିସ ଘଟଣାସ୍ଥଳରୁ ୯ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଭାରତୀୟ ଦଣ୍ଡ ସଂହିତା ଧାରା ୩୯୯, ୪୦୨, ୨୫(ଏ)/୨୫୧-ଏ ଅନ୍ତର୍ଗତ ୩୨୧/୧୭ରେ ଏକ ମାମଲା ରୁଜୁ ହୋଇଛି।

ଗିରଫ ହୋଇଥିବା ଅଭିଯୁକ୍ତ

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର ନିଳମଣୀ ପୃଷ୍ଟିଙ୍କ ପୁଅ କାଳିଆ ଓରଫ ଜଗବନ୍ଧୁ ପୃଷ୍ଟି(୩୫), ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଡୁମାଡିହ, ତାଳଗାଁର ବିଜୁ ବରଜଙ୍କ ପୁଅ ଦେବା ଓରଫ ତାଳ ବରଜ(୨୫), କୁଚେପାଲି ଗ୍ରାମର ଚନ୍ଦ୍ର ବିରୁଆଙ୍କ ପୁଅ ପରେଶ ଓରଫ ପଳାଇ ବିରୁଆ(୨୪), ଝାରଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ପରଶୁଡିହ ଥାନା ଅନ୍ତର୍ଗତ କଚାକାଳି ଗ୍ରାମର ସମରାଜ ହେମ୍ବ୍ରମଙ୍କ ପୁଅ ଅଜୟ ହେମ୍ବ୍ରମ(୨୩), ସଢ଼େଇକଳା ଜିଲ୍ଲା ଜଢ଼େଇକଳା ଥାନା ଅନ୍ତର୍ଗତ ଉରାଙ୍ଗଦା ଗ୍ରାମର କ୍ରିଷ୍ଣା ଗଡ଼ସୋରାଙ୍କ ପୁଅ ମୋଟୁ ଓରଫ ରବି ଗୋଡ଼ସରା(୨୭), ପଶ୍ଚିମ ସିଂହଭୂମ ଜିଲ୍ଲାର ଜଗନ୍ନାଥପୁର ଥାନା ଅନ୍ତର୍ଗତ କାକୁଟିଆ ମଙ୍ଗୁରା ଗ୍ରାମର ଗୁଛେନ ସିକୁଙ୍କ ପୁଅ ସୋନାରାମ ଓରଫ ଗାନ୍ଧି ସିଙ୍କୁ, ମଞ୍ଜରି ଥାନା ଅନ୍ତର୍ଗତ ଲାମଜରି ଗ୍ରାମର ରମେଶ ବିରୁଆଙ୍କ ପୁଅ ମିଲୁ ଓରଫ ନିଲୁ ବିରୁଆ(୨୩), ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପାଳ ଗ୍ରାମର ସୁଦର୍ଶନ ରାଉତଙ୍କ ପୁଅ ବାମଦେବ ରାଉତ(୫୧) ଓ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜନାର୍ଦ୍ଦନ ପାଟନା ଗ୍ରାମର ହୃଷିକେଶ ରାଉତଙ୍କ ପୁଅ ରାଜକିଶୋର ରାଉତ(୪୨) ଗିରଫ ହୋଇଛନ୍ତି।

ଅଭିଯୁକ୍ତମାନଙ୍କର ପୂର୍ବ ରେକର୍ଡରୁ ଜଣାପଡ଼ିଛି ଯେ, ସେମାନେ ଲୁଟ, ଚୋରି, ଡକାୟତି, ରାହଜାନୀ ଆଦି ମାମଲାରେ ସଂପୃକ୍ତ ଅଛନ୍ତି। କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ ଜିଲ୍ଲା ଭୁବନ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର, ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ଝାରଖଣ୍ଡରେ ଅପରାଧ କାମ ସହିତ ଜଡ଼ିତ ଅଛନ୍ତି।

ସମ୍ବନ୍ଧିତ ଖବର