ଆବାସ ଯୋଜନା ସାତ ସପନ:ଏକବଖରା ଘରେ ୯ପ୍ରାଣୀ କୁଟୁମ୍ବ

ଚମ୍ପୁଆ: ଆବାସ ଯୋଜନାରେ ଘର ଖଣ୍ଡେ ମିଳୁନି। ବିଜୁ ପକ୍କାଘର ଯୋଜନାରେ ମଧ୍ୟ ତାଙ୍କ ନାମ ନାହିଁ। ଫଳ ହେଉଛି ଏକବଖରା ଘରେ ୯ ପ୍ରାଣୀ କୁଟୁମ୍ବ ରହିବାକୁ ବାଧ୍ୟ ହେଉଛନ୍ତି। ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅଧୀନ ପଦ୍ମପୁର ଗ୍ରାମରେ ଏଭଳି ‌ଅବସ୍ଥାରେ ରହୁଛନ୍ତି ବୈଶାଖୁ ଭୂମିଜଙ୍କ ପରିବାର। ଘରେ ତାଙ୍କର ପତ୍ନୀ ଚିନ୍ମୟୀ ଭୂମିଜ, ପୁଅ ଦୁର୍ଲଭ, ବାବୁରାମ ଓ ଦୁଇ ବୋହୂଙ୍କ ସହିତ ନାତିନାତୁଣୀ। ତାଙ୍କର ଜାଗା କହିଲେ ଘରଡିହ ଖଣ୍ତିକ ଛଡ଼ା ଆଉ କିଛି ନାହିଁ। ସେହି ଏକବଖରା ଘରେ ଦୁଇପୁଅ ଓ ବୋହୂ, ସେମାନଙ୍କ ପିଲାମାନେ ରହୁଛନ୍ତି। ବୈଶାଖୁ ଓ ତାଙ୍କ ପତ୍ନୀ ପିଣ୍ଡାରେ ପଲିଥିନ୍‌ ଟାଣି ଶୋଉଥିବା ଦେଖିବାକୁ ମିଳିଛି। ବାହାରେ ଚାଳି କରି ଆବଶ୍ୟକ ସାମଗ୍ରୀ ରଖିଛନ୍ତି।
ବର୍ଷାଦିନେ ବାରଣ୍ତାରେ କୌଣସି ପ୍ରକାରେ ରୋଷେଇ କରୁଥିବାବେଳେ ଅନ୍ୟ ସମୟରେ ଅଗଣାରେ ରୋଷେଇ କରିଥାନ୍ତି। ଜମିବାଡ଼ି କିଛି ନଥିବାରୁ ନିକଟସ୍ଥ ବୈତରଣୀ ନଦୀରୁ ମାଛଧରି ବିକ୍ରି କରିଥାନ୍ତି। ଅନ୍ୟ ସମୟରେ ପରଘରେ ମୂଲମଜୁରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏଭଳି ଅବସ୍ଥାରେ ନୂଆ ଘର ନିର୍ମାଣ କରିବା ତ ଦୂରର କଥା ପୁରୁଣା ଘର ମରାମତି କରିବା ତାଙ୍କ ପକ୍ଷେ ସମ୍ଭବ ହେଉନି। ଘରଟିଏ ପାଇଁ ବହୁବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ବୋଲି ବୈଶାଖୁ କହିଛନ୍ତି।
ସେହିପରି ଏହି ଗ୍ରାମର ମାଳତୀ ଭୂମିଜ, ମାଗୁଣୀ ଭୂମିଜ, ଦୀପୁ ଭୂମିଜ, ସୁଶୀଳା ନାୟକ, ଛତିଶ ଭୂମିଜ, ଇନ୍ଦ୍ର ଭୂମିଜ, ପଦନ ଭୂମିଜ, ଶୁକଦେବ ଭୂମିଜ, ଶୁକୁଟୁ ଭୂମିଜ, ସୁରେଶ ଭୂମିଜ, ବାବୁରାମ ଭୂମିଜ, ଦୁର୍ଲଭ ଭୂମିଜ, ବସନ୍ତ ଭୂମିଜ, ଲମ୍ବୋଦର ନାୟକ, ଯମୁନା ମୁଖୀ, କୃଷ୍ଣ ନାଏକଙ୍କ ପରିବାର ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମାନେ ସମସ୍ତେ ଜମିହୀନ। ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ତିଏ ଲେଖାଏଁ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର