ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଏବଂ ବାରବାଙ୍କ ଘାଟିରେ ଦୁଇଟି ପୃଥକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୪୯ ନମ୍ବର ଜାତୀୟ ରାଜପଥରେ ସକାଳ ୯ଟାବେଳେ ଏକ ୧୨ ଚକିଆ କଣ୍ଟେନର (ଏନ୍ଏଲ୍-୦୧-ଏବି-୯୧୫୫) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଚାଳକ ଟ୍ରକ୍ ଭିତରେ ଫସି ରହିଥିଲେ। ଦୁର୍ଘଟଣାର ଦୁଇଘଣ୍ଟା ପରେ ଅନ୍ୟ ଏକ ଗାଡ଼ିର ଚାଳକ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେହିପରି କାଞ୍ଜିପାଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବାରବାଙ୍କ ଘାଟିରେ ଅପରାହ୍ଣରେ ଏକ ଟ୍ରକ୍ (ଓଆର୍-୦୯-ପି-୯୦୯୪) ଏବଂ କାର୍ (ଓଡି-୦୯-ୟୁ-୩୨୭୯) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍ଟି କ୍ଷତିଗ୍ରସ୍ତ ହୋଇଛି। ଚାଳକ ସହ ଗୋଟିଏ ପରିବାରର ମା’ ଓ ଦୁଇଛୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାର୍ରେ କାମାକ୍ଷାନଗରର ଦୀପ୍ତିରଞ୍ଜନ ସ୍ବାଇଁଙ୍କ ପରିବାର କେନ୍ଦୁଝରର ଘରକୁ ଫେରୁଥିବା ବେଳେ ବାରବାଙ୍କ ଘାଟିରେ ବିପରୀତ ଦିଗରୁ ଯାଉଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।