କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଗତକାଲି ଏକାଧିକ ଦୁର୍ଘଟଣା ଘଟି  ୩ଜଣଙ୍କ ମୃତ୍ୟୁ ଘଟିଛି

Advertisment

ଦୁର୍ଘଟଣାରେ ଯୁବବ୍ୟବସାୟୀଙ୍କ ମୃତ୍ୟୁ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ଜଂଘିରା ଗ୍ରାମର ମୁରଲୀଧର ସାହୁଙ୍କ ପୁଅ ଯୁବବ୍ୟବସାୟୀ ପ୍ରଶାନ୍ତ ସାହୁ(୨୭) ଙ୍କ ଗତକାଲି ରାତିରେ ବୁଢ଼ାଖମଣ ଛକରେ ବୋଲେରୋ (ଓଡ଼ି ୦୨ ବିପି ୪୪୨୪ ) ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଗାଡ଼ିରେ ଥିବା ଅନ୍ୟ ୪ ଯୁବକ ସୁରକ୍ଷିତ ଅଛନ୍ତି। ପ୍ରଶାନ୍ତ ସାହୁ ତାଙ୍କ ବୋଲେରୋ ଗାଡ଼ିରେ ଅନ୍ୟ ୪ ଜଣ ସାଙ୍ଗଙ୍କ ସହିତ କେନ୍ଦୁଝରରୁ ପଣ୍ଡାପଡ଼ା ଦେଇ ଘରକୁ ଫେରୁଥିଲେ। ବୁଢ଼ାଖମଣ ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପଣ୍ଡାପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରଶାନ୍ତଙ୍କ ଅକାଳ ବିୟୋଗରେ ଜଂଘିରା ବଣିକ ସଂଘ ପକ୍ଷରୁ ତଥା ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଛି।

 ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ପଣ୍ଡାପଡ଼ା: ପଣ୍ଡାପଡ଼ା ଥାନା ଅଧୀନ ଦେଓବନ୍ଧ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ପଟିଲୋ ପଞ୍ଚାୟତ ସାନଜିଉଳି ଗ୍ରାମର ଦୟାନିଧି ମହାନ୍ତ (୬୫)। ସେ ଶନିବାର ଅପରାହ୍‌ଣରେ ପଣ୍ଡାପଡ଼ା କାଳୀଯାତ୍ରା ଦେଖିବାକୁ ଯାଇଥିଲେ। ସନ୍ଧ୍ୟା ୭ଟା ସମୟରେ ଆର୍‌ଆଇ ଅଫିସଠାରୁ କିଛି ବାଟ ଦୂରରେ ଛିଡ଼ାହୋଇଥିବାବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ କରାଯାଇଛି। ପୁଅ ପୁଟୁନ୍ ମହାନ୍ତ ମୁଖାଗ୍ନି ଦେଇଥିଲେ। ଏ ନେଇ ପଣ୍ଡାପଡା ଥାନାରେ ଏକ ମାମଲା ରୁଜୁ ହୋଇଛି।

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଚମ୍ପୁଆ: ଚମ୍ପୁଆ ଥାନା ମହେଶ୍ୱରପୁର ଛକ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ବୟସ ପ୍ରାୟ ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ପକେଟରୁ ମିଳିଥିବା ଏକ ମୋବାଇଲକୁ ନେଇ ଚମ୍ପୁଆ ପୁଲିସ ତଦନ୍ତ ଜାରି ରଖିଥିଲେ ବି ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।

ମିଳିଥିବା ସୂଚନା ଅନୁସାରେ, ଚମ୍ପୁଆ-ରିମୁଳି ୨୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଲୋକମାନେ ଦୁର୍ଘଟଣାଗ୍ରସ୍ତ ଯୁବକ ପଡ଼ିଥିବା ଦେଖି ଚମ୍ପୁଆ ପୁଲିସ ଥାନାକୁ ଖବର ଦେଇଥିଲେ।