ହରିଚନ୍ଦନପୁର: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ନିଆଯାଇଥିବା ବେଳେ ପୁଲିସକୁ ଚକ୍ମା ଦେଇ ଡାକ୍ତରଖାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଟଇଁସର ଗ୍ରାମର ଟଙ୍କଧର ନାୟକ (୨୦)।
ପଣ୍ଡାପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଟଙ୍କଧର ଅପହରଣ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ୨୬ ତାରିଖ ମଧ୍ୟାହ୍ନ ୧୨ଟାବେଳେ ପଣ୍ଡାପଡ଼ା ଥାନାର ତିନିଜଣ ପୁଲିସ କର୍ମଚାରୀ ଡାକ୍ତରୀ ମାଇନା ପାଇଁ ଅଭିଯୁକ୍ତ ଟଙ୍କଧରକୁ ନେଇ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏହି ସମୟରେ ଟଙ୍କଧର ଡାକ୍ତରଖାନାର ଶୌଚାଳୟକୁ ଯାଇଥିଲା। ବାହାରେ ପୁଲିସ କର୍ମଚାରୀ ଜଗି ରହିଥିବା ବେଳେ ଟଙ୍କଧର ଶୌଚାଳୟ ଭିତରୁ ଲକ୍ କରି କୌଶଳକ୍ରମେ ହାତରୁ ହ୍ୟାଣ୍ଡକପ୍ ଖୋଲି ଦେଇଥିଲା। ଉକ୍ତ ହ୍ୟାଣ୍ଡକପ୍ ସାହାଯ୍ୟରେ ଶୌଚାଳୟ ଝରକାର କାଚ ଭାଙ୍ଗି ହରିଚନ୍ଦନପୁର-ଘଟଗାଁ ରାସ୍ତାରେ ଚମ୍ପଟ ମାରିଥିଲା।
ବହୁ ସମୟ ଧରି ସେ କବାଟ ନ ଖୋଲିବାରୁ ପୁଲିସ କର୍ମଚାରୀମାନେ ସନ୍ଦେହ କରିଥିଲେ। ଶୌଚାଳୟ ଝରକା କାଚ ଭଙ୍ଗାଥିବା ବେଳେ ଭିତରେ ହ୍ୟାଣ୍ଡକପ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ଅଭିଯୁକ୍ତ ଫେରାର ହେବା ନେଇ ଜଣାପଡ଼ିବା ପରେ ତୁରନ୍ତ ପୁଲିସ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ଘଟଣାର ତିନିଦିନ ପରେ ଗତକାଲି ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/arrest.jpg)