ତେଲକୋଇ: ନଦୀରେ ପୋଲ ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଶେଷରେ ଖଟିଆରେ ବୋହି ଜଣେ ସାପ କାମୁଡ଼ା ରୋଗୀକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ର ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମଣ ଗ୍ରାମରେ।

Advertisment

ବଡ଼ଖମଣ ଗ୍ରାମକୁ ଯିବାରେ ସମାକୋଇ ନଦୀ ପ୍ରତିବନ୍ଧକ ସାଜିଛି। ଏହି ଗ୍ରାମକୁ ଯିବାକୁ ହେଲେ ସମାକୋଇ ନଦୀକୁ ତିନିଥର ଅତିକ୍ରମ କରିବାକୁ ପଡ଼ିଥାଏ। ନଦୀରେ ପୋଲଟିଏ ନିର୍ମାଣ ହୋଇପାରୁ ନ ଥିବାରୁ ସମାକୋଇ ବଡ଼ଖମଣ ପାଇଁ ଦୁଃଖ ପାଲଟିଛି। ଗତକାଲି ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଗ୍ରାମର ସୁରେନ କିସାନ (୪୨) ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ସକାଳେ ତ‌ାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଗାଁକୁ ଆମ୍ବୁଲାନ୍ସ ଆସିନପାରି ରାସ୍ତା ଉପରେ ଅଟକି ରହିଥିଲା। ଖଟିଆରେ ସୁରେନଙ୍କୁ ବୋହି ଲୋକେ ଆମ୍ବୁଲାନ୍ସ ପାଖ‌କୁ ଆଣିଥିଲେ। ସେଠାରୁ ତେଲକୋଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତେଲକୋଇ ଥାନାରେ କେସ୍‌ ନମ୍ବର ୨୨/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ସମାକୋଇ ନଦୀରେ ପୋଲ ନଥିବାରୁ ବର୍ଷତମାମ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।