କେନ୍ଦୁଝର: ସମସ୍ତ କଳ୍ପନାଜଳ୍ପନା ହୋଇଛି। ପୁଣି ଜିଲ୍ଲା ବିଜେପି ସଭାପତି ଭାବେ ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଉପରେ ଦଳର ହାଇକମାଣ୍ଡ ଆସ୍ଥା ପ୍ରକଟ କରିଛନ୍ତି। ତାଙ୍କୁ ଦ୍ବିତୀୟ ଥର ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଦାୟିତ୍ବ ପ୍ରଦାନ କରିଛନ୍ତି।  ରାଜ୍ୟ ସଭାପତି ମନମୋହନ ସାମଲ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନାମ ରହିଛି।

Advertisment

ଅଂଶୁମାନ ୧୯୭୯ ଏପ୍ରିଲ ୮ରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷା ପଣ୍ଡାପଡ଼ାରେ ଆରମ୍ଭ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟରେ ଯୁକ୍ତଦୁଇ ଅଧ୍ୟୟନ କରିଥିଲେ। ଏହାପରେ ସେ କରଞ୍ଜିଆ ମହାବିଦ୍ୟାଳୟରେ ଯୁକ୍ତ ତିନି ପଢ଼ିଥିଲେ। ଏହି ସମୟରେ ସେ ଛାତ୍ର ସଂସଦର ସଭାପତି ହୋଇଥିଲେ। ଏହିଠାରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଜିଲ୍ଲାପରିଷଦ ସଭ୍ୟ ଭାବେ ବିଜୟୀ ହୋଇଥିଲେ। ୨୦୧୭ରେ ପୁଣି ଦ୍ବିତୀୟ ଥର ପାଇଁ ଜିଲ୍ଲାପରିଷଦ ସଭ୍ୟ ଭାବେ ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ବିଜେପି ସାହାରପଡ଼ା ବ୍ଲକ୍‌ ସଭାପତି ଥିଲେ। ଏହି ଦାୟିତ୍ବକୁ ସେ ଦକ୍ଷତାର ସହ ସଂପାଦନା କରିଥିଲେ। ଏହି ସମୟରେ ସେ ସାହାରପଡ଼ା ବ୍ଲକ୍‌ ଅଧ୍ୟକ୍ଷ ପଦବି ବିଜେପି କବ୍‌ଜା କରିଥିଲା।

୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ଦାୟିତ୍ବ ତୁଲାଇଥିଲେ। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ଯୁବମୋର୍ଚ୍ଚାର ଉପସଭାପତି ଥିଲେ। ୨୦୧୯ରୁ ସେ କେନ୍ଦୁଝର ଜିଲ୍ଲା ସଭାପତି ଦାୟିତ୍ବରେ ଅଛନ୍ତି। ଏହି ସମୟରେ ସେ ଗୁରୁତ୍ବପୂର୍ଣ୍ଣ କେନ୍ଦୁଝରଗଡ଼ ପୌରପାଳିକାରେ ବିଜେପି ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ଭାବେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦଳ ତାଙ୍କୁ ପୁଣି ଗୁରୁଦାୟିତ୍ବ ପ୍ରଦାନ କରିଛି। ସମସ୍ତଙ୍କୁ ନେଇ ସେ କାର୍ଯ୍ୟ କରିବେ ବୋଲି ଅଂଶୁମାନ ପ୍ରକାଶ କରିଛନ୍ତି।