ଦୁର୍ଗମ ଅଞ୍ଚଳରେ ଆଶାର କିରଣ ଆଶାଦିଦି ଫୁଲମଣି, ଜୀବନକୁ ବାଜି ଲଗାଇ କରୁଛନ୍ତି ସେବା

ଆନନ୍ଦପୁର, (ଶତ୍ରୁଘ୍ନ ସାହୁ): ସବୁ କାମ ପଛ, ଲୋକଙ୍କ ସେବା ଆଗ। ଲୋକମାନଙ୍କଠାରୁ ଫୋନ୍ କଲ ମିଳିଲେ ସଙ୍ଗେସଙ୍ଗେ ନିଜର ସାଇକଲ ଧରି ବାହାରି ପଡ଼ନ୍ତି ରୋଗୀ ଓ ପ୍ରସୂତି ମହିଳାଙ୍କ ନିକଟକୁ। ପ୍ରଥମେ ନିଜେ ତାଙ୍କର ସେବା କରିବା ସହ ପରେ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥାନ୍ତି। ଦୀର୍ଘ ୧୫ବର୍ଷ ଧରି ଘସିପୁରା ବ୍ଲକ ବରିପାଳର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି ବରିପାଳ ସ୍ବାସ୍ଥ୍ୟ ଉପକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଥିବା ସୁଆପୁରର ଆଶାକର୍ମୀ ଫୁଲମଣି ଦାସ। ଆଦିବାସୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଓ ପ୍ରସୂତି ମହିଳାଙ୍କୁ ଶତପ୍ରତିଶତ ଡାକ୍ତରଖାନାରେ ଆଣି ପ୍ରସବ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନିଜ ଅଞ୍ଚଳରେ ଫୁଲମଣି ଘରେଘରେ ଜଣେ ପରିଚିତ ନାମ। ସମସ୍ତଙ୍କ ନିକଟରେ ରହିଛି ତାଙ୍କ ମୋବାଇଲ ନମ୍ବର। ରାତି ଅଧରେ ମଧ୍ୟ ଖବରପାଇଲେ କୌଣସି ଭୟ ନକରି ସାଇକଲ ଧରି ସଙ୍ଗେସଙ୍ଗେ ପହ‌ଞ୍ଚି ଯାଆନ୍ତି ସେ। ଅନ୍ୟ ଆଶାକର୍ମୀ ତଥା ମହିଳାଙ୍କ ପାଇଁ ଏବେ ଉଦାହରଣ ସାଜିଛନ୍ତି ଆଦିବାସୀ ଇଲାକାର ଫୁଲମଣି।

ସମ୍ବନ୍ଧିତ ଖବର