ଟଙ୍କା କାରବାରକୁ ନେଇ ତୁମୁଳକାଣ୍ଡ: ଦୋକୀନଙ୍କୁ ଆକ୍ରମଣ, ଦୋକାନ ଓ ବାଇକ୍‌ ପୋଡ଼ିଲେ

ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନିକଟ ମରୈଗାଁ ଛକରେ ଟଙ୍କା କାରବାରକୁ ନେଇ ତୁମୁଳକାଣ୍ଡ ଘଟିଛି। ଜଣେ ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଏହାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଗୋଟିଏ କୁକୁଡ଼ା ଦୋକାନ ଓ ବାଇକ୍‌ ଜାଳି ଦେଇଛନ୍ତି।
ମରୈଗାଁ ଗ୍ରାମର ଅମର ସେଠୀ ଛକରେ ଜନସେବା କେନ୍ଦ୍ର ଖୋଲିଛନ୍ତି। କିଛିଦିନ ତଳେ ଚଣ୍ଡିବିରଞ୍ଚିପୁର ଗ୍ରାମର ପ୍ରତାପ ଯେନା ଜନସେବା କେନ୍ଦ୍ରକୁ ଆସି ନିଜ ଇପିଏଫ୍‌ ଟଙ୍କା ଉଠାଇବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଆଉଥରେ ମଧ୍ୟ ଟଙ୍କା ଉଠାଇବା ପାଇଁ ଆବେଦନ କରିଥିଲେ। ମାତ୍ର ଟଙ୍କା ନଆସିବାରୁ ସେ ଅମରକୁ ଦୋଷ ଦେଇ ‘ତୁମେ ମୋ ଟଙ୍କା ଉଠାଇ ନେଇଛ’ ବୋଲି କହି ଆସୁଥିଲେ। ଆଜି ସକାଳେ ଏହାକୁ ‌କେନ୍ଦ୍ରକରି ପ୍ରତାପ ଓ ଅମରଙ୍କ ମଧ୍ୟରେ ବଚସା ହୋଇଥଲା। କିଛି ଭଦ୍ରବ୍ୟକ୍ତି ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ପରେ ଅପରାହ୍‌ଣ ଦୁଇଟା ସମୟରେ ପ୍ରତାପ ନିଜର କିଛି ସମ୍ପର୍କୀୟଙ୍କ ସହ ଆସି ଅମରଙ୍କ ଜନସେବା କେନ୍ଦ୍ରରେ ପହଞ୍ଚିଥିଲେ। ଅମରଙ୍କୁ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଉତ୍ତ୍ୟକ୍ତ ହୋଇ ଆକ୍ରମଣକାରୀଙ୍କ ଏକ କୁକୁଡ଼ା ଦୋକାନ ଓ ଗୋଟିଏ ବାଇକ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହାକୁ ନେଇ ‌ମରୈଗାଁ ଛକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛି। ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ରବୀନ୍ଦ୍ର କୁମାର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର