ଅଟୋ ଡ୍ରାଇଭର ହତ୍ୟା ମାମଲା:ଅଭିଯୁକ୍ତକୁ ଆଜୀବନ

ଆନନ୍ଦପୁର: ଘସିପୁରା ଥାନା ତୋରିଣିଆପାଳ ଗ୍ରାମର ଅଟୋ ଡ୍ରାଇଭର ବିଜୟ ଷଡ଼ଙ୍ଗୀ ଓରଫ୍‌ ବିଦେଶୀ ହତ୍ୟା ଘଟଣାର ରାୟ ପାଞ୍ଚବର୍ଷ ପରେ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିଶ୍ବଜିତ୍‌ ମହାନ୍ତି ଘଟଣାର ଅଭିଯୁକ୍ତ ତଥା ମାଓନେତା ପୂର୍ଣ୍ଣଚନ୍ଦ୍ର ମୁର୍ମୁକୁ ଆଜୀବନ କାରାଦଣ୍ତ ଆଦେଶ ଦେଇଛନ୍ତି।
୨୦୧୩ ଡିସେମ୍ବର ୩୧ତାରିଖରେ ବିଜୟ ଅଟୋ ନେଇ ସ୍ଥାନୀୟ ଲୁଣିଖିଆ ଗ୍ରାମକୁ ଯାଇ ଫେରୁଥିଲେ। ମାଣିଗରି ନିକଟରେ ପୂର୍ଣ୍ଣ ତାଙ୍କୁ ଅପହରଣ କରି ନେଇ ନିକଟସ୍ଥ ଚିଲିକାବାହାଳି ଜଙ୍ଗଲରେ ହତ୍ୟା କରିଥିଲା। ବିଜୟ ନିଖୋଜ ରହିବାରୁ ରହସ୍ୟ ଲାଗି ରହିଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆନ୍ଦୋଳନ ଓ ରାସ୍ତାରୋକ ହୋଇଥିଲା। ଘଟଣାର ୧୨ଦିନ ପରେ ଚିଲିକାବାହାଳି ଜଙ୍ଗଲ ନିକଟରୁ ବିଜୟଙ୍କ ଗଳିତ ମୃତଦେହ ଉଦ୍ଧାର କରାଯିବାପରେ ତତ୍‌କାଳୀନ ଥାନା ଅଧିକାରୀ ପ୍ରିୟର˚ଜନ ଶତ୍‌ପଥୀ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣ ମୁର୍ମୁକୁ ଗିରଫ କରିଥିଲେ। ଆଜି ଏହି ଘଟଣାର ରାୟ ପ୍ରକାଶ ପାଇଥିବାବେଳେ ପୂର୍ଣ୍ଣକୁ ଆଜୀବନ କାରାଦଣ୍ତାଦେଶ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ସରକାରୀ ଓକିଲ ମହେନ୍ଦ୍ର ମହାପାତ୍ର ମାମଲାର ପରିଚାଳନା କରୁଥିବାବେଳେ ମୁଦାଲାଙ୍କ ପକ୍ଷରୁ ଓକିଲ ବନବିହାରୀ ଜେନା କେଶ୍‌ ଲଢୁଥିଲେ।

ସମ୍ବନ୍ଧିତ ଖବର