ଭୁବନେଶ୍ବର/କେନ୍ଦୁଝର: ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ଆଜି ଯୁବ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମାରାଥନ୍ ଜେରା କରିଛି। ପାଖାପାଖି ୧୧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିବା ବେଳେ ଆସନ୍ତା ୪, ୫ ଓ ୬ ତାରିଖରେ ଅନ୍ୟ ତିନିଜଣ ସହଯୋଗୀ ଇଓଡବ୍ଲ୍ୟୁରେ ହାଜର ହେବେ ବୋଲି ଜଣାପଡ଼ିଛି। ଅର୍ଥ ହେର୍ଫେର୍ର ପରିସୀମା ଅଧିକ ଏବଂ ଏହା ପଛରେ ବହୁ ବଡ଼ବଡ଼ିଆଙ୍କ ଲିଙ୍କ୍ ସାମନାକୁ ଆସିଛି। ମାମଲାର ଗମ୍ଭୀରତା ଦୃଷ୍ଟିରୁ ରାଜ୍ୟ କ୍ରାଇମବ୍ରାଞ୍ଚ ସମେତ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ସୋମବାର ଇଡି ଓ ଆୟକର ଅଧିକାରୀମାନେ କ୍ରାଇମବ୍ରାଞ୍ଚଠାରୁ ମୂଳ ଏତଲା କପି ସମେତ ତଦନ୍ତ ସଂପର୍କିତ ସମସ୍ତ ଦସ୍ତାବିଜ୍ ସାଙ୍ଗରେ ନେଇଥିବା ଡିଆଇଜି ବାତୁଲ ଗଙ୍ଗାଧର ସୂଚନା ଦେଇଛନ୍ତି। ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କି ଲିଙ୍କ୍ରେ ବଡ଼ବଡ଼ିଆଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚ, ଇଓଡବ୍ଲ୍ୟୁ ଓ ରାଜ୍ୟ ସ୍ପେସାଲ୍ ଟାକ୍ସଫୋର୍ସ (ଏସ୍ଟିଏଫ୍)ର ଅଧିକାରୀଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଛି। ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ରେ ସାମିଲ ହୋଇଥିବାରୁ ଆର୍ଥିକ କାରବାର ମାମଲାରେ ଜଡ଼ିତ ବ୍ୟକ୍ତିମାନଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟପକ୍ଷରେ କେନ୍ଦୁଝରରେ ଏସ୍ଟିଏଫ୍ର ଏକାଧିକ ଟିମ୍ ଡେରା ପକାଇ ରାଜା ଚକ୍ର ସଂପୃକ୍ତ ଥିବା କ୍ରସର୍ ୟୁନିଟ୍ ଏବଂ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରିଥିବା ସୂଚନା ମିଳିଛି।
ବିଜେଡି ନେତା ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଜେରା
ତଦନ୍ତ ସଂପର୍କିତ ଦସ୍ତାବିଜ୍ ନେଲା ଇଡି ଓ ଆୟକର ବିଭାଗ
କେନ୍ଦୁଝରରେ ଏସ୍ଟିଏଫ୍ର ତନାଘନା
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତି ଲିମିଟେଡ୍ ୨୦୦୬ରେ ପଞ୍ଜୀକୃତ ହୋଇଥିଲା। ଏହି ସଂସ୍ଥା ଗନ୍ଧମାର୍ଦ୍ଦନ ଖଣି ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ପରିବାରକୁ କର୍ମସଂସ୍ଥାନ ଯୋଗାଇଥାଏ। ୨୦୧୭-୧୮ରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କିଛି କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଏହି ସୋସାଇଟିର କାର୍ଯ୍ୟକର୍ତ୍ତା ଆର୍ଥିକ ହେରଫେର ସମେତ ବିଭିନ୍ନ ଆପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି। ଶହଶହ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ଇଓଡବ୍ଲୁ ଗତ ୭ ତାରିଖରେ ଲୋଡିଂ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଏବଂ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।
ଘଟଣାର ତଦନ୍ତ ଚାଲିଥିବାବେଳେ ରାଜା ଚକ୍ରଙ୍କ ସମେତ ଅନ୍ୟ ସହଯୋଗୀ ସୁଧାଂଶୁ ଶେଖର ନାୟକ, ସମୀର କୁମାର ଜେନା, ସଦାଶିବ ସାମଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ସେମାନଙ୍କୁ ଅନ୍ତରୀଣ ସୁରକ୍ଷା ଦେଇ ଇଓଡବ୍ଲୁରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ରାଜା ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି। ଆସନ୍ତାକାଲି ଅର୍ଥାତ ୪ ତାରିଖରେ ସୁଧାଂଶୁ ଶେଖର ନାୟକ, ୫ରେ ସମୀର କୁମାର ଜେନା ଏବଂ ୬ ତାରିଖରେ ସଦାଶିବ ସାମଲ ଇଓଡବ୍ଲୁରେ ହାଜର ହୋଇ ତଦନ୍ତର ସମ୍ମୁଖୀନ ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା କେନ୍ଦୁଝର କାଣ୍ଡସର ଷ୍ଟେସନ୍ରେ ରେଳଧାରଣା ପାଇଁ ଗଚ୍ଛିତ ଥିବା ବିପୁଳ ପରିମାଣର ପଥର ଚୋରି ନେଇ ମଧ୍ୟ ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି।