ଘଟଗାଁ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି। ତାଙ୍କୁ ସ୍ବାଗତ କରିବାପାଇଁ ଘଟଗାଁରେ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀ ମାଝୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୨୫ରେ ଘଟଗାଁ ହାଇସ୍କୁଲ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ। ଏହାପରେ ଶୋଭାଯାତ୍ରାରେ ଯାଇ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଘଟଗାଁ ଡାକବଙ୍ଗଳାରେ କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କ ଉପସ୍ଥିତିରେ ଓ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ରାଜେଶ ସିଂ, ଜଗବନ୍ଧୁ ସା, ଇନ୍ଦ୍ରମଣି ମହାନ୍ତ, ଅଖିଳ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ରୁଦ୍ରପ୍ରସାଦ ବେହେରା, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ମଣ୍ଡଳ ସଭାପତି ଅକ୍ଷୟ ସିଂହ, ରବି ଦେହୁରୀ, ମନୋରଞ୍ଜନ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ, ଗୋଲକ ବଳ, ଶରତ ବେଜ, ମକରଧ୍ୱଜ ବେହେରା, ସତ୍ୟମ ଦେହୁରୀ, ଉତ୍ତମ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହେଇଥିବା ଜିଲ୍ଲା ମିଡିଆ ସେଲ୍‌ ସଂଯୋଜକ ଜୟଦେବ ଗିରି ସୂଚନା ଦେଇଛନ୍ତି।