ନୂଆ-ପୁରୁଣାଙ୍କୁ ନେଇ କେନ୍ଦୁଝର ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ

କେନ୍ଦୁଝର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦୁଝର ଜିଲ୍ଲା ବିଜେପିରେ ନୂଆ-ପୁରୁଣା ବିବାଦ ତଥା ବରିଷ୍ଠ ନେତାଙ୍କ ମଧ୍ୟରେ ଅର୍ନ୍ତଦ୍ୱନ୍ଦ୍ୱ ସେତିକି ବଢ଼ିବାରେ ଲାଗିଛି। ଘସିପୁରା ବ୍ଲକର ଦେଓଗାଁଠାରେ ଆୟୋଜିତ ବିଜେପି କର୍ମକର୍ତ୍ତାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମରୁ ଏପ୍ରକାର ସୂଚନା ମିଳିବା ପରେ କେନ୍ଦୁଝର ବିଜେପି ଯେ ଫାଳଫାଳ ହେଲାଣି ତାହା ଜଳଜଳ ହୋଇ ଦେଖାଯାଉଛି।

ସୂଚନାଯୋଗ୍ୟ, ଗତକାଲି ଘସିପୁରା ବ୍ଲକର ଦେଓଗାଁଠାରେ ବରିଷ୍ଠ ବିଜେପି କର୍ମକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଓଗାଁ ମଣ୍ଡଳ ସଭାପତି ରାଧେଶ୍ୟାମ ରଣା, ରାମଚନ୍ଦ୍ରପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ବେହେରା, ବ୍ଲକର ପୂର୍ବତନ ବିଜେପି ସଭାପତିଙ୍କ ସମେତ ଦଳ ସହିତ ସଂଶ୍ଳିଷ୍ଟ ଥିବା ବହୁ ପୁରୁଣା କର୍ମକର୍ତ୍ତା ଯୋଗ ଦେଇଥିଲେ। ଯଦିଓ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଏକ ବାହାନା ଥିଲା, ବାସ୍ତବରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପୃଥ୍ଵୀରାଜ କୁଅଁର ଏବଂ ଜିଲ୍ଲା ସଭାପତିଙ୍କ କାର୍ଯ୍ୟଶୈଳୀକୁ ଏଠାରେ ବିରୋଧ କରାଯାଇଥିଲା। ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ନିକଟରେ କଂଗ୍ରେସରୁ ବିଜେପିକୁ ଡେଇଁଥିବା ପୃଥ୍ଵୀରାଜ କୁଅଁର ନିଜକୁ ଘସିପୁରା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବି ପ୍ରଚାର ଚଳାଇଛନ୍ତି। ଯାହାକି ଦଳର ନୀତି ଓ ଆଦର୍ଶର ଖୋଲା ଉଲ୍ଲଂଘନ। ଖାଲି ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଶ୍ରୀ କୁଅଁର ସଭାସମିତି କରୁଥିଲେ ମଧ୍ୟ କେବେ ବି ସ୍ଥାନୀୟ ମଣ୍ଡଳ ସଭାପତିଙ୍କ ସହିତ ଆଲୋଚନା କରୁନାହାନ୍ତି। ଯାହାକି ବରିଷ୍ଠ ନେତୃବୃନ୍ଦ ଏବଂ ମଣ୍ଡଳ କର୍ମକର୍ତ୍ତାଙ୍କ ପାଇଁ ଅସନ୍ତୋଷର କାରଣ ପାଲଟିଛି। ଏ ସଂପର୍କରେ ଖୋଦ୍‌ ଜିଲ୍ଲା ସଭାପତି ଅବଗତ ଥିଲେ ମଧ୍ୟ ପୃଥ୍ଵୀରାଜଙ୍କୁ ଚେକ୍‌ ଦେବା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ପ୍ରୋତ୍ସାହିତ କରି ଚାଲିଥିବା ଅଭିଯୋଗ ହୋଇଛି। ତଥାକଥିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ଯାଏ ଦଳରେ ନୂତନ ଭାବେ ଯୋଗ ଦେଇଥିବା ବିଜେପି ନେତୃବୃନ୍ଦଙ୍କୁ ବିରୋଧ କରାଯାଇଥିଲା।

ସେହିପରି ଦଳର ଅନ୍ୟ ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ପୃଥ୍ଵୀରାଜ କୁଅଁରଙ୍କ ବିଭିନ୍ନ ସ୍ଥାନରେ ଲାଗୁଥିବା ବ୍ୟାନର୍‌ ମଧ୍ୟ ଆପତ୍ତିଜନକ। ଏଥିରେ କୌଣସି ସ୍ଥାନୀୟ ନେତା କିମ୍ବା ମଣ୍ଡଳ ସଭାପତିଙ୍କ ଫଟୋ ରହୁନାହିଁ। ଯାହାକି ବିଜେପିର ନୀତି ଓ ଆଦର୍ଶର ପରିପନ୍ଥୀ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ବରିଷ୍ଠ ବିଜେପି ନେତାମାନଙ୍କ ମଧ୍ୟରେ ଅର୍ନ୍ତଦ୍ୱନ୍ଦ୍ୱ ବଢ଼ି ବଢ଼ି ଚାଲିଛି। କାହାର କାହା ସହିତ ମନ ମିଳୁନି। ଗତ ୧୪ ତାରିଖରେ କେନ୍ଦୁଝର ସହର ଉପକଣ୍ଠ ପଦ୍ମପୁରଠାରେ ହୋଇଥିବା ବିଜେପିର ରାସ୍ତାରୋକ ଆନ୍ଦୋଳନ ଏଠାରେ ଉଲ୍ଲେଖଯୋଗ୍ୟ। ରାସ୍ତାରୋକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ମୋହନ ଚରଣ ମାଝି। ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଏହି ଆନ୍ଦୋଳନରେ ନାମକୁ ମାତ୍ର ରହିଥିଲେ। ଆନ୍ଦୋଳନ ଶେଷ ହେବାକୁ ଅଳ୍ପ କିଛି ସମୟ ଥିବା ବେଳେ ସେ ପହଞ୍ଚିଥିଲେ ଏବଂ ମାତ୍ର କେଇ ମିନିଟ୍‌ ରହି ସେଠାରୁ ପଳାଇ ଆସିଥିଲେ। ଯାହାକି ମୋହନ-ରାଧାଙ୍କ ଅର୍ନ୍ତଦ୍ୱନ୍ଦ୍ୱକୁ ପଦାରେ ପକାଇଛି। ବିଜେପି ଅନ୍ୟଦଳର କିଛି ନେତାଙ୍କୁ ଦଳରେ ସାମିଲ କରାଇ କାୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଧୀରେ ଧୀରେ ଏହା ବୁମେରାଂ ହେବାକୁ ବସିଛି।

ସମ୍ବନ୍ଧିତ ଖବର