ଚୋରା ଚାଲାଣର ଚେର ଲମ୍ବିଛି ଛତିଶଗଡ଼କୁ: ନୀଳ ପଥର କିଲୋ ୧୨ଶହ ଟଙ୍କା

କାଳିଆପାଣି : ଯାଜପୁର ଜିଲ୍ଲାର କାଳିଆପାଣି ଓ ଟମକା ଥାନା ଇଲାକାରେ ବହୁ ଚୋରା ନୀଳପଥର ଖଣି ରହିଥିବା ନେଇ ମାଫିଆଙ୍କ ଗତିବିଧିରୁ ସ୍ପଷ୍ଟ ହୋଇଛି। ଏହି ପଥର ଓଡ଼ିଶାରେ କିଲୋ ପିଛା ହଜାରେରୁ ୧୨ଶହ ଟଙ୍କାରେ ବିକ୍ରି ହେଉଥିବା ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପଥରର ମାନ ଓ ଗଠନ ଶୈଳୀକୁ ନେଇ ଦର ଧାର୍ଯ୍ୟ ହୋଇଥାଏ। ଆନ୍ତର୍ଜାତୀୟ ବଜାରରେ ଏହାର ଢେର ଚାହିଦା ରହିଛି। କଟକ, ଅନୁଗୁଳ ଓ ଜଟଣୀ ଅଞ୍ଚଳ ଏହି ଚୋରା କାରବାରର ପେଣ୍ଠସ୍ଥଳ ହୋଇଥିବା ବେଳେ ର‍୍ୟାକେଟର ଚେର ଛତିଶଗଡ଼କୁ ଲମ୍ବିଛି। ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ସ୍ୱତନ୍ତ୍ର ପ୍ୟାକ୍‌ଟରେ ଏହା ଛତିଶଗଡ଼ର ରାୟପୁର ପହଞ୍ଚିବା ପରେ ସେଠାରୁ ବାହାର ଦେଶକୁ ମଧ୍ୟ ଚାଲାଣ ହେଉଥିବା କୁହାଯାଉଛି। ଏହା କାରବାର ପଛରେ କାଳିଆପାଣି, ଟମକା ଓ ପଡ଼ୋଶୀ ଘସିପୁରା ଥାନା ଅଞ୍ଚଳର ୨୦ରୁ ଅଧିକ ମାଫିଆ ସକ୍ରିୟ ଥିବା ତିନିବର୍ଷ ତଳୁ ଜଣାପଡ଼ିଥିଲା। ଦୈତାରି ପର୍ବତମାଳା ଓ ମହାଗିରି ପର୍ବତମାଳା ମଧ୍ୟବର୍ତ୍ତୀ ଇଲାକାରେ ଅବସ୍ଥିତ ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ବିଭିନ୍ନ ଛୋଟବଡ଼ ପାହାଡ଼ି ଇଲାକାରେ ଏହି ବିରଳ ନୀଳପଥର ଖଣି ରହିଥିବା ସୂଚନା ମିଳିଛି। ଗତ ୮ ତାରିଖ ରାତି କାଳିଆପାଣି ଥାନା ଅନ୍ତର୍ଗତ ଟିକରପଡ଼ା ଅଞ୍ଚଳରୁ ଜବତ ଟ୍ରକ୍‌ରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନୀଳପଥର ରହିଥିଲା। ଏହା ପୂର୍ବରୁ ମଧ୍ୟ ୨୦୧୫ ମସିହା ଏପ୍ରିଲ ୧୭ ତାରିଖ ବିଳମ୍ବିତ ରାତି ଟମକା ଥାନାଠୁ ମାତ୍ର ୫ କିଲୋମିଟର ଦୂର ଚିତ୍ରୀ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ରାସ୍ତାରୁ ପୁଲିସ୍‌ ଏକ ଛ’ଚକିଆ ଟ୍ରକ୍‌(ଓଆର୍‌-୦୫କେ-୫୯୧୫)କୁ ଜବତ କରିଥିଲା। ସେହି ସମୟରେ ଅନ୍ୟ ଏକ ଚାରି ଚକିଆ ଗାଡ଼ିରେ ଏସ୍କର୍ଟ ଦାୟିତ୍ଵରେ ଥିବା କିଙ୍ଗପିନ୍‌ ଓ ସହଯୋଗୀ ମାଫିଆ ଖସି ଯାଇଥିଲେ। ଉକ୍ତ ଟ୍ରକ୍‌ର ମାଲିକ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତେନ୍ତୁଲେଇ ଗ୍ରାମର ଅଜୟ ନାୟକ ବୋଲି ପୁଲିସ୍‌ ତଦନ୍ତରୁ ଜଣା ପଡ଼ିଥିଲା। ସଂପୃକ୍ତ ବ୍ୟକ୍ତିଙ୍କ ଘର ଉପରେ ପୁଲିସ୍‌ ଏକାଧିକ ବାର ଚଢ଼ାଉ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲା। ତେବେ ଅଜୟ ନାୟକ ଏହି ଟ୍ରକ୍‌କୁ ଜଟଣୀର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସୂଚନା ଦେଇଥିଲେ।
ଟମକା ନୂଆଗାଁ ପାହାଡ଼ ଏବଂ କାଳିଆପାଣି ଟିକରପଡ଼ା ପାହାଡ଼ରେ ନୀଳପଥର ଲୁଟ୍‌ ଚାଲିଛି। ପାହାଡ଼ ତଳେ ବାସ କରୁଥିବା ଆଦିବାସୀମାନଙ୍କୁ ଅଧିକ ମଜୁରି ଲୋଭ ଦେଖାଇ ରାତି ଅଧିଆ ଲୁଟ୍‌ ଚାଲିଛି। ଏହି ଯୋଜନାବଦ୍ଧ ଚୋରା ଚାଲାଣ ପଛରେ ଏକ ଅନ୍ତଃରାଜ୍ୟ ରାକେଟ୍‌ ସକ୍ରିୟ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର