କୋରେଇ,: କୋରେଇ ବ୍ଲକ୍‌ର ବରପଦା, ସାଆଁଳା ଓ ମଥୁରାପୁର ଆଦି ତିନୋଟି ବାଲି ଖାଦାନକୁ ସରକାରୀ ସ୍ତରରେ ଘାଟ ନିଲାମ କରାଯାଇଛି। ପ୍ରତ୍ୟେକ ଘାଟରୁ କେବଳ ଶ୍ରମିକଙ୍କ ଦ୍ବାରା ବାଲି ଉଠାଣ କରାଯିବାର ନିୟମ ରହିଛି। ତେବେ ବରପଦା ଘାଟରୁ ମେସିନ୍‌ ଲଗାଇ ବେଧଡ଼କ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏଠାରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଯାଜପୁର ଜିଲ୍ଲା ସମେତ ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାକୁ ଚାଲାଣ ହେଉଛି। ପ୍ରଶାସନକୁ ହାତବାରିସି କରି ଏକ ଗୋଷ୍ଠୀ ଏହି ବାଲିଘାଟକୁ ଗତ କିଛିବର୍ଷ ହେଲା ନିଜ ଅକ୍ତିଆରରେ ରଖିଛନ୍ତି। ଏଥିସହ ଲିଜ୍‌ ସର୍ତ୍ତକୁ ଖିଲାପ କରି ଏଠାରୁ ବହୁ ଅଧିକ ପରିମାଣର ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି। ତହସିଲ କାର୍ଯ୍ୟାଳୟରୁ ପ୍ରଦତ୍ତ ଆରଫର୍ମକୁ ବିନା ତାରିଖରେ ଗାଡ଼ି ଚାଳକଙ୍କୁ ପ୍ରଦାନ କରାଯାଉଛି। ଯାହାଫଳରେ ବାଲିବୋଝେଇ ଗାଡ଼ିଗୁଡ଼ିକ ଏହାକୁ ବାରମ୍ବାର ବ୍ୟବହାର କରି ରାଜସ୍ବ ଫାଙ୍କୁଥିବା ଅଭିଯୋଗ ହୋଇଛି। ଘାଟରୁ କେବଳ ଶ୍ରମିକ ମାନଙ୍କ ଦ୍ବାରା ବାଲି ଲୋଡିଂ କରାଯିବାର ନିୟମ ଥିଲେ ମଧ୍ୟ ପ୍ରତ୍ୟେହ ୫ ରୁ ୬ଟି ମେସିନ୍ ଜରିଆରେ ବାଲି ଉତ୍ତୋଳନ କରାଯାଉଛି। ଏପରିକି ବରପଦା ଘାଟକୁ ସଂଲଗ୍ନ ଭଦ୍ରକ ଜିଲ୍ଲା ଭଣ୍ତାରୀପୋଖରୀ ଘାଟରୁ ମଧ୍ୟ ମାଫିଆମାନେ ବାଲି ଉତ୍ତୋଳନ କରୁଛନ୍ତି। ଯାହାକୁ ନେଇ କିଛିଦିନ ପୂର୍ବରୁ ଭଣ୍ତାରୀପୋଖରୀ ପୁଲିସ୍‌ ଓ ବାଲି ମାଫିଆଙ୍କ ମଧ୍ୟରେ ତୁମୁଳକାଣ୍ତ ହୋଇଥିଲା। ପ୍ରଶାସନ ପକ୍ଷରୁ ମେସିନ୍ ଓ କିଛି ଭାରୀଯାନକୁ ଜବତ କରାଯାଇଥିଲେ ମଧ୍ୟ ପରେ ହାତଗୁଞ୍ଜା ଦେଇ ମାଫିଆମାନେ ପୁଣି କାରବାର ଆରମ୍ଭ କରିବାରେ ସଫଳ ହୋଇଥିଲେ। କିଛି ବର୍ଷ ପୂର୍ବର ସରକାର ଜିଲ୍ଲାସ୍ତରୀ ସ୍କ୍ବାଡ୍‌ ଗଠନ କରି ସମସ୍ତ ବାଲିଘାଟରେ ଡିଜିଟାଲ୍ ଗ୍ଲୋବାଲ୍ ପୋଜିସନିଙ୍ଗ୍ ସିଷ୍ଟମ (ଡିଜିପିଏସ୍‌) ବ୍ୟବସ୍ଥା କରାଯିବାର ନିୟମ କରିଥିଲେ। ବାଲି, ମୋରମ୍ ଭଳି ସମସ୍ତ ଲଘୁଖଣିଜ ସମ୍ପଦର ଉତ୍ତୋଳନ ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ତାହା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଉନଥିବାରୁ ବାଲି ମାଫିଆ ତହସିଲ କର୍ମଚାରୀଙ୍କୁ ହାତର କରି ଲୁଟି ଚାଲିଥିବା ଅଭିଯୋଗ ହେଉଛି। ଏନେଇ ରଣପାଳ ରାଜସ୍ବ ସର୍କଲ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଚିରାଚରିତ ଭାବରେ ତଦନ୍ତ କରାଯିବ ବୋଲି କହି ଏଡ଼ାଇ ଯାଇଥିଲେ। ପ୍ରଶାସନ ଏସବୁ ବିଷୟରେ ଅବଗତ ଥାଇ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।