ବାଂଶପାଳ : ଗୁଣି ସନ୍ଦେହରେ ପିଉସୀଙ୍କୁ ପିଟିପିଟି ହତ୍ୟା କଲା ପୁତୁରା

ବାଂଶପାଳ : ଗୁଣିଗାରେଡ଼ି ତଥା ଡାଆଣୀ ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ ପୁଣି ଏକ ମୁଣ୍ଡ ଗଡ଼ିଛି। ବାଂଶପାଳ ବ୍ଲକ ନୟାକୋଟ ଥାନା କଲଣ୍ଡା ଗ୍ରାମରେ ଆଜି ସନ୍ଧ୍ୟାରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ନିଜ ପିଉସୀଙ୍କୁ ଠେଙ୍ଗାରେ ପିଟିପିଟି ପୁତୁରା ହତ୍ୟା କରିଛି। ହତ୍ୟାର ଶିକାର ‌ହୋଇଛନ୍ତି ରଇବାରୀ ଦେହୁରୀ(୭୦)। ଅଭିଯୁକ୍ତ ପୁତୁରା ଶ୍ରୀକାନ୍ତ ଦେହୁରୀ(୫୫)କୁ ନୟାକୋଟ ପୁଲିସ ଗିରଫ କରିଛି।

ହତ୍ୟାର କାରଣ ଭାବେ ଶ୍ରୀକାନ୍ତ ଯାହା କହିଛି ତାହା ବି ବେଶ୍‌ ରୋଚକ। ତା’ କହିବା ଅନୁସାରେ ନିଜ ଝିଅ ବାହାଘର ବାରମ୍ବାର ଭାଙ୍ଗିଯାଇଥିଲା। ଏହାପଛରେ ରଇବାରୀ ଗୁଣିଗାରେଡ଼ି କରୁଥିବା ସେ ସନ୍ଦେହ କରୁଥିଲା। ଅବିବାହିତ ପିଉସୀଙ୍କ କୋପଦୃଷ୍ଟିରୁ ତାଙ୍କ ପରିବାର ଲୋକଙ୍କ ଦେହ ଖରାପ ହେଉଥିବା ମଧ୍ୟ ସେ ସନ୍ଦେହ କରୁଥିଲା। ଆଜି ଶ୍ରୀକାନ୍ତ ଜଙ୍ଗଲକୁ ଛେଳି ଚରାଇ ଫେରିଲାବେଳେ ସନ୍ଧ୍ୟାରେ ପିଉସୀ ରଇବାରୀ କୋବି ବଗିଚାରେ ବସିଥିଲେ। ଏହି ସମୟରେ ସେ ଠେଙ୍ଗାରେ ପିଉସୀ ରଇବାରୀଙ୍କୁ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିଲା। ଅନ୍ୟ ପରିବାର ଲୋକ ତାଙ୍କୁ ବାଂଶପାଳ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକ ନୟାକୋଟ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ୨୧/୨୦ରେ ହତ୍ୟା ମାମଲା ରୁଜୁ କରି ନୟାକୋଟ ଥାନା ପୁଲିସ ଶ୍ରୀକାନ୍ତକୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ କହିଛନ୍ତି।

ସମ୍ବନ୍ଧିତ ଖବର