କେନ୍ଦୁଝର (ସୁବ୍ରତ ସ୍ବାଇଁ): କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାମାଡ଼ ଧମକ ମିଳିଛି। ଭୟଙ୍କର ‌ବୋମାମାଡ଼ ଆକ୍ରମଣରେ ଉଡ଼ାଇ ଦେବାକୁ ଏକ ସାଙ୍ଘାତିକ ଧମକ ଆସିଛି। କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍‌କୁ ଏହି ଧମକପୂର୍ଣ୍ଣ ଚିଠି ଆସିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥି ସହିତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। 

Advertisment

କେନ୍ଦୁଝର ଜିଲ୍ଲା ଦୌରାଜଜ କୋର୍ଟଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ତୁରନ୍ତ ଟାଉନ୍ ଥାନାରେ ଏକ ଏତଲା ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ କୋର୍ଟରେ ପହଞ୍ଚି କୋର୍ଟ ରୁମ୍, କାର୍ଯ୍ୟାଳୟ ଏବଂ ବାହାର ପରିସରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। 

ଆହୁରି ପଢ଼ନ୍ତୁ: Rajya Sabha Election: ମନମୋହନ ସାମଲ, ସୁଜିତ କୁମାରଙ୍କୁ ମିଳିଲା ବିଜେପି ଟିକେଟ୍‌

ସଦର ଏସଡିପିଓ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ପ୍ରକାରର ସନ୍ଦେହଜନକ ପଦାର୍ଥ କିମ୍ବା ବୋମାର ସୁରାକ୍ ମିଳିନାହିଁ। ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ସଜାଗ ରହିବା ସହ ଘଟଣାର ତଦନ୍ତ ଜାରି ରହିଛି। ଅନ୍ୟପଟରେ ଏହି ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସୋସିଏସନ୍ ସଭାପତି କହିଛନ୍ତି, ଏଭଳି ଗୁଜବ ସୃଷ୍ଟିକାରୀ ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସରକାର ଓ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।