ପାଇକସାହି:ଠାକୁରଗଡ଼ ଥାନା ପାଇକସାହିକୁ ମାମୁ ଘରକୁ ଆସିଥିବା ଆୟୁଷ ସାହୁ ନାମକ ଜଣେ ୫ ବର୍ଷର ବାଳକ ଏକ ମଟରସାଇକେଲ୍‌ ଧକ୍‌କାରେ ପ୍ରାଣ ହରାଇଛନ୍ତି। ଏ ଘଟଣା ଗାଁରେ ଉତ୍ତେଜନା ସୃଷ୍ଟି କରିବା ସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା।  ପ୍ରାପ୍ତ ସୂଚନା ଅନୁଯାୟୀ, ଆୟୁଷଙ୍କ ନିଜ ଘର ଝାନ୍‌ସୀ ଅଞ୍ଚଳରେ। ପାଇକସାହିସ୍ଥିତ ମାମୁଘର ସୁଶାନ୍ତ ସାହୁଙ୍କ ଘରକୁ ସେ ଆସିଥିଲେ। ଗତକାଲି ଅପରାହ୍‌ଣରେ ରାସ୍ତାରେ ଖେଳିବାବେଳେ ତାଙ୍କୁ ଏକ ମଟରସାଇକେଲ୍‌(ଓଡି୨୮-୭୮୫୨) ଧକ୍‌କା ଦେଇଥିଲା।

Advertisment

ଆୟୁଷ ଗୁରୁତର ଆହତ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିରେ ଗ୍ରାମବାସୀ ହାଟ ନିକଟରେ ପାଇକସାହି-ବଇଣ୍ଡା, ଠାକୁରଗଡ଼-ପାଇକସାହି, ଟାପଢ଼ୋଲ-ଅନୁଗୁଳ ରାସ୍ତା ସକାଳ ୭ଟାରୁ ଦିନ ୪ଟା ଯାଏଁ ଅବରୋଧ କରିଥିଲେ। ପାଇକସାହି ଅତିରିକ୍ତ ଆର୍‌ଆଇ ଶ୍ୱେତରୂପା ପ୍ରଧାନ ମୃତକଙ୍କ ପରିବାରକୁ ରେଡ଼କ୍ରସ୍‌ ପାଣ୍ଠିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ଦେବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଦୁର୍ଘଟଣା ସଂପର୍କରେ ଆୟୁଷଙ୍କ ଆଈ ଝୁନୁ ସାହୁ ଥାନାରେ ଅଭିଯୋଗ କରିଛନ୍ତି।  ଏ ନେଇ ପୁଲିିସ ଏକ ମାମଲା ରୁଜୁ କରିବା ସହ ଧକ୍‌କା ଦେଇଥିବା ମଟରସାଇକେଲ୍‌ ଜବତ କରି ତଦନ୍ତ ଚଳାଇଛି।