ବୈତରଣୀରୁ ୩ ମହିଳାଙ୍କୁ ଉଦ୍ଧାର ଘଟଣା:ସାହସୀ ପଙ୍କଜଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସରେ ପାଇବେ ଜାତୀୟ ସାହସିକତା ପୁରସ୍କାର

ଚମ୍ପୁଆ: ନିଜ ଜୀବନକୁ ବାଜି ଲଗାଇ ବୈତରଣୀ ନଦୀର ଗଭୀର ଗଣ୍ଡରେ ବୁଡି ଯାଉଥିବା ୩ ମହିଳାଙ୍କୁ ଉଦ୍ଧାର କରିଥିବା ସାହସୀ ବାଳକ ପଙ୍କଜ ପୁରସ୍କୃତ ହେଉଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଜାତୀୟ ସାହସିକତା ପୁରସ୍କାର ପାଇବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ଏପରି ଦୁଃସାହସିକ କାର୍ଯ୍ୟ କରିଥିବାରୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେକ୍ରିଓ୍ଵାଲ ତାଙ୍କୁ ସମ୍ମାନିତ କରିଛନ୍ତିି।
ସୂଚନାଯୋଗ୍ୟ, ଗତ ମେ ମାସ ୨୨ ତାରିଖରେ ଚମ୍ପୁଆ ବ୍ଲକ କାଟୁଳିକନା ଗ୍ରାମର ପଙ୍କଜ ତାଙ୍କ ମାଆ ବାସନ୍ତୀ ମହାନ୍ତଙ୍କ ସହିତ ବୈତରଣୀ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। କିଛି ଦୂରରେ ଗାଧୋଉଥିବା ସେହି ଗ୍ରାମର ବୈଜୟନ୍ତୀ ମହାନ୍ତ(୨୫), ପୁଷ୍ପଲତା ମହାନ୍ତ,(୨୨) ଓ ସୁଜିତା ମହାନ୍ତ(୩୪) ଗଭୀର ନଦୀ ଭିତରେ ବୁଡି ଯାଉଥିଲେ। ଏହା ଦେଖିି ପଙ୍କଜ ତତ୍‌କ୍ଷଣାତ ନଦୀ ଭିତରକୁ ଲମ୍ଫ ଦେଇଥିିଲେ ଓ ନିଜର ଉପସ୍ଥିତ ବୁଦ୍ଧି ବଳରେ ଜଣେ ପରେ ଜଣେ ତିନି ମହିଳାଙ୍କୁ କୂଳକୁ ଟାଣିି ଆଣି ଜୀବନ ରକ୍ଷା କରିଥିଲେ। ବ୍ରହ୍ମପୁର କରଂଜିଆ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବା ପଙ୍କଜଙ୍କ ଏହି ଦୁଃସାହସିକ କାର୍ଯ୍ୟ ସାରା କେନ୍ଦୁଝର ଜିଲ୍ଲାରେ ଚର୍ଚା ହୋଇଥିଲା ଓ ସେ ପ୍ରଶଂସାର ପାତ୍ର ହୋଇଥିଲେ। ତତ୍‌କାଳୀନ ଚମ୍ପୁଆ ଉପଜିଲ୍ଲାପାଳ ଗୌରହରି ବେହେରା କାଟୁଳିକନା ଗ୍ରାମକୁ ଯାଇ ପଙ୍କଜ ଓ ତାଙ୍କ ମାଆ ବାପାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସ୍ୱାଧୀନତା ଦିବସରେ ତାଙ୍କୁ ଉପଖଣ୍ଡସ୍ତରୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ପଙ୍କଜ ସାଧାରଣତନ୍ତ୍ର ଦିବସରେ ଜାତୀୟ ସାହସିକତା ପୁରସ୍କାର ପାଇବା ପାଇଁ ତାଙ୍କ ବାପା ଚୂଡାମଣି ମହାନ୍ତଙ୍କ ସହିତ ଦିଲ୍ଲୀ ଯାଇଛନ୍ତି। ଖବର କାଗଜ ଓ ଟିଭିରେ ପଙ୍କଜର ଫଟୋ ଦେଖି ପରିବାର ଓ ଗ୍ରାମବାସୀ ଖୁସି ହେବା ସହ ସେଠାରେ ଆନନ୍ଦର ମାହୋଲ ଦେଖାଦେଇଛି।
ଗ୍ରାମବାସୀ କହିଛନ୍ତି, ପଙ୍କଜ ଆମ ଗ୍ରାମର ଗର୍ବ ଆଉ ଗୌରବ। କେବଳ ଗ୍ରାମ ନୁହଁ, କେନ୍ଦୁଝର ଜିଲ୍ଲା ଏଥିପାଇଁ ଗର୍ବିତ। ତାଙ୍କୁ ଜାନୁଆରି ୨୬ ତାରିଖରେ ଟିଭିରେ ଦେଖିବା ପାଇଁ ସେମାନେ ଅପେକ୍ଷା କରିଛନ୍ତି।

ବାସନ୍ତୀଙ୍କୁ ପୁଅ ପଙ୍କଜ କଥା ପଚାରିବାରୁ ସେ ଖୁସିରେ ଆତ୍ମହରା ହୋଇ କାନ୍ଦି ପକାଇଥିିଲେ। ସେ କହିଥିଲେ, ତିନି ଜଣ ମହିଳା ନଦୀରେ ବୁଡି ଯାଉଥିବାର ଦେଖି ସଙ୍ଗେ ସଙ୍ଗେ ପଙ୍କଜ ନଦୀକୁ ଭିତରକୁ ଡେଇଁ ପଡିିଥିଲା। ଛୋଟ ପିଲାଟି ନଦୀ ଭିତରେ କ’ଣ କରିବ ବୋଲି ସେ ଆତଙ୍କିତ ହୋଇ ପଡିଥିଲେ। ହେଲେ ଜଣେ ପରେ ଜଣକୁ କୂଳକୁ ଟାଣି ଆଣିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଛୋଟ ପିଲା ଦେହରେ ଏତେ ବଳ କେଉଁଠୁ ଆସିଲା ବୋଲି ସେ ଏବେ ମଧ୍ୟ ଭାବୁଛନ୍ତି। ଠାକୁରେ କରନ୍ତୁ ସେ ଏଭଳି ବିପଦରେ ପଡିଥିବା ଲୋକଙ୍କ ସେବାକାର୍ଯ୍ୟ କରୁଥାଉ ଓ ଲୋକମାନେ ତାକୁ କୋଟି ଆଶୀର୍ବାଦ କରୁଥାନ୍ତୁ ବୋଲି ବାସନ୍ତୀ କହିଥିଲେ। ଗ୍ରାମର ମହିଳା ବୈଜୟନ୍ତୀ ମହାନ୍ତ, ପୁଷ୍ପଲତା ମହାନ୍ତ ଓ ସୁଜିତା ମହାନ୍ତଙ୍କୁ ପଚାରିବାରୁ ସେମାନେ କହିଥିଲେ, ଛୋଟ ହେଲେ ମଧ୍ୟ ପଙ୍କଜ ସେମାନଙ୍କ ପାଇଁ ଭଗବାନ। ଗଭୀର ନଦୀରେ ପଶି ବଡ ଲୋକମାନେ ମଧ୍ୟ ପାଣିରୁ ଉଦ୍ଧାର କରିବା ସମ୍ଭବ ନୁହଁ। ଦେବଦୂତ ସାଜି ସେ ଆମକୁ ଉଦ୍ଧାର କରିଥିିବାରୁ ଆମେ ନୂଆ ଜନ୍ମ ପାଇଛୁ ବୋଲି ସେମାନେ କହିଥିଲେ। ସେହିପରି ସେ ପଢୁଥିବା ବ୍ରହ୍ମପୁର- କରଂଜିଆ ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତାଙ୍କ ମଙ୍ଗଳ କାମନା କରିଛନ୍ତିି। ସେ ଜାତୀୟ ସାହସିକତା ପୁରସ୍କାର ଧରି ଗ୍ରାମକୁ ଫେରିବ। ଦିନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର