ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ରେ ଅନେକ ଗରିବ ପରିବାର ସରକାରୀ ଆବାସରୁ ବଞ୍ଚିତ ହୋଇଛନ୍ତି। ଥିଲାବାଲା ଘର ପାଉଥିବା ବେଳେ ଗରିବ ଓ ଅସହାୟ ଲୋକେ ବାଦ୍ ପଡ଼ୁଛନ୍ତି। ବଳରାମପୁର ପଞ୍ଚାୟତ ଚଉମୁହିଁ କଲୋନିରେ ତିନିବର୍ଷ ଧରି ପର ବାରଣ୍ଡାରେ ଆଶ୍ରୟ ନେଇଥିବା ବିଧବା ମହିଳା ରଞ୍ଜୁଆ ଖଟୁଆ ସରକାରୀ ଆବାସରୁ ବଞ୍ଚିତ ହୋଇଥିଲେ। ଶାଳପଡ଼ାର ସ୍ବେଚ୍ଛାସେବୀ ଅନୁଷ୍ଠାନ ଗରିବ ସେବାସଦନ ପକ୍ଷରୁ ତାଙ୍କପାଇଁ ବାସଗୃହ ନିର୍ମାଣ କରାଯାଇଛି।
ଚଉମୁହିଁ କଲୋନିର ବାସିନ୍ଦା ଧରଣୀଧର ଖଟୁଆଙ୍କ ପାଞ୍ଚବର୍ଷ ତଳେ ମୃତ୍ୟୁ ଘଟିଥିଲା। ଏହାପରେ ପତ୍ନୀ ରଞ୍ଜୁ ଓ ପାଞ୍ଚ ସନ୍ତାନ ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଥିଲେ। ବହୁ କଷ୍ଟରେ ରଞ୍ଜୁ ପରିବାର ପ୍ରତିପୋଷଣ କରୁଥିଲେ। ତିନିବର୍ଷ ତଳେ ସେ ରହୁଥିବା ଘରଟି ଛପର ହୋଇ ନପାରିବାରୁ ଭାଙ୍ଗି ଯାଇଥିଲା। ଫଳରେ ପରିବାର ପର ବାରଣ୍ଡାରେ ଆଶ୍ରୟ ନେଇଥିଲେ। ସରକାରୀ ଆବାସ ଖଣ୍ଡିଏ ପାଇଁ ରଞ୍ଜୁ ସ୍ଥାନୀୟ ନେତା ଓ ସରପଞ୍ଚଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ।
ରଞ୍ଜୁଙ୍କ ଅସହାୟତା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶାଳପଡ଼ା ଗରିବ ସେବାସଦନର ସଭାପତି ଡ. ଶମ୍ଭୁନାଥ ରାଉତ ତାଙ୍କ ପାଖରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିବା ସହ ରାସନ ଯୋଗାଇ ଦେଇଥିଲେ। ରଞ୍ଜୁଙ୍କ ପରିବାରକୁ ଆବାସ ଦେବାପାଇଁ ଡ. ରାଉତ ବିଡିଓଙ୍କଠାରୁ ଆରମ୍ଭ କରି କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ଶେଷରେ ତାଙ୍କ ପରିବାର ପାଇଁ ଏକ ଘର ତିଆରି କରିବାକୁ ଗରିବ ସେବାସଦନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଡ. ରାଉତଙ୍କ ଉପସ୍ଥିତିରେ ପୂଜକ ସନ୍ତୋଷ କୁମାର ଦାଶଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯିବା ପରେ ରଞ୍ଜୁ ଗୃହପ୍ରବେଶ କରିଛନ୍ତି। ନୂଆ ଘର ପାଇବା ପରେ ତାଙ୍କ ପରିବାର ସଦସ୍ୟ ଖୁସିବ୍ୟକ୍ତ କରିଛନ୍ତି। ଗୃହ ପ୍ରବେଶ ସମୟରେ ସମୟରେ ଗରିବ ସେବାସଦନର ସଦସ୍ୟ ସତ୍ୟଜିତ ବାରିକ୍, ପୁଷ୍ପଲତା ମହାନ୍ତି, ତପନ କୁମାର ଧୀର, ମାନସ ଆଚାର୍ଯ୍ୟ, ଚନ୍ଦ୍ରମଣି ଜେନା, ଗୋପବନ୍ଧୁ ପଣ୍ଡା, ବିଜୟ କୁମାର ସାହୁ, ଝାଡ଼େଶ୍ବର ସାହୁ, ହୀରୁ ପ୍ରଧାନ, ପ୍ରଦୀପ କୁମାର ସାହୁ, ତରଣୀ ଜେନା, ନବଘନ ଦେହୁରୀ, ପ୍ରଣବ ପୁହାଣ, କାଳନ୍ଦୀ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/3adf67bc-dacc-4261-bd74-85eb83a54ae8.jpeg)