ଚମ୍ପୁଆ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦାବିରେ ଆଜି ୨୩ ତାରିଖ ଚମ୍ପୁଆ ବନ୍ଦ ପାଳନ ହେଉଛି। ଆଜି ଚମ୍ପୁଆରେ ଥିବା ସମସ୍ତ ଦୋକାନବଜାର ବନ୍ଦ ରହିଛି। ଅଧିକାଂଶ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିଥିବାର ଦେଖିବାକୁ ମିଳିଛି। ଖାଲିସେତିକି ନୁହେଁ ସ୍କୁଲ୍ କଲେଜ୍ ବନ୍ଦ ରହିଛି। ଏଣେ ଗାଡ଼ିଚଳାଚଳ ବ୍ୟାହତ ହୋଇଛି। ମୋଟାମୋଟି ଭାବେ ଏଠାରେ ଜନଜୀବନ ପ୍ରଭାବିତ ହୋଇଛି।
ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିକାଶ ପରିଷଦ ପକ୍ଷରୁ ବହୁବାର ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ ପ୍ରଶାସନ ଗୁରୁତ୍ବ ଦେଉ ନାହିଁ। ତେଣୁ ୨୩ ତାରିଖରୁ ୩ ଦିନିଆ ବନ୍ଦ ଡାକରା ଦିଆଯାଇଛି। ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ଡାକରା ଦିଆଯାଇଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକାଶ ପରିଷଦ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୈଠକରେ ବନ୍ଦ ଡାକରାରୁ ଓହରି ଯିବାକୁ ଉପଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ।
ବିକାଶ ପରିଷଦ ଓ ସଙ୍ଗଠନ ବାରମ୍ବାର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରିଥିଲେ ହେଁ ପ୍ରଶାସନ ଏହାକୁ ଅଣଦେଖା କରିଛି। ଏଣୁ ବିକାଶ ପରିଷଦ ଓ ସଙ୍ଗଠନର ସଭ୍ୟମାନେ ନିଷ୍ପତ୍ତିରେ ଅଟଳ ରହିଥିଲେ। ପ୍ରଶାସନ ତରଫରୁ ବିକାଶ ପରିଷଦ ଓ ସଙ୍ଗଠନର ନିଷ୍ପତ୍ତି ବାବଦରେ ପୁନର୍ବାର ଆଲୋଚନା କରାଯିବାକୁ ଅନୁରୋଧ କରାଯାଇଥିଲା। ବିକାଶ ପରିଷଦ ଓ ସଂଗଠନ ମଧ୍ୟରେ ଆଲୋଚନା କରାଯାଇ ଅନିର୍ଦିଷ୍ଟ କାଳ ପରିବର୍ତ୍ତେ ୩ ଦିନ ବନ୍ଦ କରା ଯିବାକୁ ସ୍ଥିର କରାଯାଇଥିଲା।
ଏହି ବୈଠକରେ ବିକାଶ ପରିଷଦର ସଭାପତି ପୂର୍ବତନ ବିଧାୟକ ଧନୁର୍ଜୟ ଲାଗୁରି, ସମ୍ପାଦକ ଶାନ୍ତନୁ କୁମାର ଦାସ, ତହସିଲଦାର ସାଇ ସସ୍ମିତା ହୋତା, ଏସଡିପିଓ ରାମ ରାୟ, ଆଇଆଇସି ଗଗନ ବିହାରୀ ନାୟକ, ବିଦ୍ୟାଧର ମହାନ୍ତ, ସୁଶାନ୍ତ କୁମାର ସାହୁ, ମୁସଲିମ ଆଖ ତାର, ଧୀରେନ୍ ଦାସ, ପ୍ରିୟନାଥ ପତି, ତପନ ମିଶ୍ର, ଗଙ୍ଗାଧର କର, ମହମ୍ମଦ ମୁନା, ମହେନ୍ଦ୍ର ମହାନ୍ତ, ରାଜେଶ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-44.png)