ପିଲା ଚୋର ସନ୍ଦେହରେ ପୁଣି ମାଡ଼, ଜଣେ ଗିରଫ

କେନ୍ଦୁଝର: ପିଲା ଚୋର ସନ୍ଦେହର ଭୂତ ଲୋକଙ୍କ ଭିତରେ ଯେମିତି ସବାର ହୋଇଯାଇଛି। ଜିଲ୍ଲାର ରୁଗୁଡ଼ି ଥାନା ଅଧୀନ ନୂଆଗାଁରେ ଜଣେ ମାନସିକ ନ୍ୟୂନ ପାଗଳ ବ୍ୟକ୍ତିଙ୍କୁ ଲୋକେ ପିଲା ଚୋର କହି ନିସ୍ତୁକ ମାଡ଼ ମାରିଛନ୍ତି। ତାଙ୍କର ଗୋଟିଏ ହାତ ଭାଙ୍ଗିଦେଇଥିବା ନେଇ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଆଜି ସକାଳେ ସେ ଏହି ଗାଁରେ ଘୂରି ବୁଲୁଥିଲେ। କିଛି ଲୋକ ପିଲା ଚୋର କହି ତାଙ୍କୁ ପିଟିବାରେ ଲାଗିଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଗ୍ରାମର ମନିକା ମୁଣ୍ଡା (୨୨)କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଅଭିଯୁକ୍ତକୁ ବଡ଼ବିଲ କୋର୍ଟକୁ ଚାଲାଣ କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ହେଉଥିବା ସେ ସୂଚନା ଦେଇଛନ୍ତି।
ପିଲାଚୋର ସନ୍ଦେହରେ ଯୁବକଙ୍କୁ ମାଡ଼ ଘଟଣାରେ ୩ ଗିରଫ
ବାଂଶପାଳ: ବାଂଶପାଳ ବ୍ଲକ୍‌ ଗଜପୁର ମୁଣ୍ଡାସାହିରେ ପିଲାଚୋର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନୟାକୋଟ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପୁର ମୁଣ୍ଡାସାହିର ସମ୍ବରା ମୁଣ୍ଡା(୩୦), ଗୁରା ମୁଣ୍ଡା(୪୮) ଓ ବଗ ମୁଣ୍ଡା(୪୫)। ଏ ସଂପର୍କରେ ତଦନ୍ତ ଜାରି ରହିଛି ଓ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନାଧିକାରୀ ବିରଞ୍ଚି ବାଗ କହିଛନ୍ତି।

ସମ୍ବନ୍ଧିତ ଖବର