ହରିଚନ୍ଦନପୁର: ଚାଷୀମାନେ ଉତ୍ପାଦିତ ପରିବା ସାଇତି ରଖିବାପାଇଁ ଉଦ୍ୟାନ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ଗ୍ରାମରେ ୨୦୧୯-୨୦ ଆର୍ଥିକ ବର୍ଷରେ ୫ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଏକ ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ନିର୍ମାଣ କରାଯାଇଥିଲା। ଓମ୍‌ବାଡ୍‌ସି ପକ୍ଷରୁ ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସାମାନ୍ୟ ବ୍ୟାଟେରି ଚାର୍ଜରଟି ପୋଡ଼ି ଯାଇଥିବା ବେଳେ ନୂଆ ଚାର୍ଜରଟିଏ ଲାଗିପାରୁ ନଥିବାରୁ ଦୁଇବର୍ଷ ହେଲା ଏହି ଶୀତଳଭଣ୍ଡାର ଅଚଳ ହୋଇପଡ଼ିଛି।
ଧୁରୁଡ଼ିଆମ୍ବ, ଜାମୁପଶି, ଜାମୁଦା, କରଡ଼ାପାଳ, ମୁଣ୍ଡୁରିସାହିର ଉତ୍ପାଦକ ଗୋଷ୍ଠୀର ଚାଷୀମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୃଷ୍ଟି’ ଓ ଉଦ୍ୟାନ ବିଭାଗ ସହଯୋଗରେ ପରିବା ଚାଷ କରୁଛନ୍ତି। କଲରା, ବାଇଗଣ, ଫୁଲକୋବି, ବନ୍ଧାକୋବି ସମେତ ବିଭିନ୍ନ ପ୍ରକାର ପରିବା ଚାଷ କରି ଚାଷୀମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଅତ୍ୟଧିକ ଅମଳ ହେଲେ ପରିବା ଦର ହଠାତ୍‌ କମିଯାଏ। ତେଣୁ ଚାଷୀମାନେ କମ ଦରରେ ପରିବା ବିକ୍ରି ନକରି ତାହାକୁ ଶୀତଳଭଣ୍ଡାରରେ ରଖୁଥିଲେ। ଏହାଦ୍ବାରା ପରିବାର ଅଭାବୀ ବିକ୍ରିକୁ ରୋକି ହେଉଥିଲା। ଚାଷୀମାନେ ନିଜ ଫସଲର ଉଚିତ ମୂଲ୍ୟ ପାଉଥିଲେ। ଦୁଇବର୍ଷ ହେଲା ଶୀତଳଭଣ୍ଡାର ଅଚଳ ହୋଇଯାଇଥିବାରୁ ଚାଷୀମାନେ ପରିବା ରଖିବାପାଇଁ ହଇରାଣ ହରକତ ହେଉଛନ୍ତି। ବାଧ୍ୟ ହୋଇ କମ୍‌ ମୂଲ୍ୟରେ ବିକ୍ରି କରୁଛନ୍ତି। ନଚେତ ପରିବା ପଚିସଢ଼ି ନଷ୍ଟ ହେଉଛି। ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି।
ଶୀତଳଭଣ୍ଡାରଟି ଅଚଳ ହେବା ପରେ ଏହାର ଦାୟିତ୍ୱରେ ଥିବା ପ୍ରଦୀପ କୁମାର ମୁଣ୍ଡା ଏହାକୁ ନିର୍ମାଣ କରିଥିବା କମ୍ପାନି ସହ ଯୋଗାଯୋଗ କରିଥିଲେ। କମ୍ପାନିର କର୍ମଚାରୀମାନେ ଆସି ଶୀତଳଭଣ୍ଡାର ଦେଖିଥିଲେ। ବ୍ୟାଟେରି ଚାର୍ଜର ପୋଡ଼ି ଯାଇଥିବାରୁ ଶୀତଳଭଣ୍ଡାରଟି ଅଚଳ ହୋଇଯାଇଥିବା କହିଥିଲେ। ୧୮ ହଜାର ଟଙ୍କା ଦେଇ ନୂତନ ବ୍ୟାଟେରି ଚାର୍ଜର ଲଗାଇଲେ ଏହା ପୁଣି କାର୍ଯ୍ୟକ୍ଷମ ହେବ ବୋଲି କର୍ମଚାରୀମାନେ କହିଲେ। ଶ୍ରୀ ମୁଣ୍ଡା ଉତ୍ପାଦକ ଗୋଷ୍ଠୀର ଚାଷୀମାନଙ୍କୁ ବ୍ୟାଟେରି ଚାର୍ଜର କିଣିବା ପାଇଁ କହିଥିଲେ। ତାହା କିଣାଯାଉ ନଥିବାରୁ ଶୀତଳଭଣ୍ଡାରଟି ଅଚଳ ହୋଇପଡ଼ିଥିବା ସେ କହିଛନ୍ତି। ଏ ସମ୍ପର୍କରେ ହରିଚନ୍ଦନପୁର ବ୍ଲକ୍‌ ଉଦ୍ୟାନ ବିଭାଗ ଅଧିକାରୀ ମ‌ୋନିକା ନାୟକଙ୍କୁ ପଚାରିବାରୁ, ଶୀତଳଭଣ୍ଡାରର ରକ୍ଷଣାବେକ୍ଷଣ ଦାୟିତ୍ବ ଉତ୍ପାଦକ ଗୋଷ୍ଠୀ। ଖୁବଶୀଘ୍ର ଉତ୍ପାଦକ ଗୋଷ୍ଠୀର ଚାଷୀଙ୍କ ସହ ଆଲୋଚନା କରାଯାଇ ବ୍ୟାଟେରି ଚାର୍ଜର କିଣାଯିବ ବୋଲି ସେ କହିଛନ୍ତି।