ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ଶିବନାରାୟଣପୁରଗୋଡା ପଞ୍ଚାୟତ ବେତଖୋଲି ଗ୍ରାମ ବାହାଡ଼ାପାଳ ସାହିରେ ବୃହତ୍ ପାନୀୟ ଜଳ ପ୍ରକଳ୍ପ ପାଇପ୍ ବିଛାଇବା ପାଇଁ ପୋଲ ଭାଙ୍ଗିଦେଲେ ଠିକାଦାର। ନିର୍ମାଣ ନକରିବାରୁ ଯିବାଆସିବା କରିବାରେ ସାହିଲୋକ ହଇରାଣ ହେଲେ। ଶେଷରେ ସେମାନେ ନିଜ ଖର୍ଚ୍ଚରେ ତଥା ନିଜେ ଶ୍ରମଦାନ କରି ପୋଲ ନିର୍ମାଣ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ ଏଲ ଆଣ୍ଡ ଟି କମ୍ପାନି ପାନୀୟଜଳ ପ୍ରକଳ୍ପ କାମ ନେଇଛି। ପାଇପ୍ ବିଛାଇବା କାର୍ଯ୍ୟ ଜଣେ ପେଟି ଠିକାଦାର କରୁଛନ୍ତି। ପାଇପ୍ ବିଛାଇବା ପାଇଁ ଜେସିବି ଚାଲିଥିଲାବେଳେ ଏହି ପୋଲଟି ଭୁଶୁଡ଼ି ପଡ଼ିଥିଲା। ଗ୍ରାମବାସୀ ବିରୋଧ କରିବାରୁ ଠିକାଦାର ପୋଲ ନିର୍ମାଣ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ଷ ବିତିଗଲା ପରେ ବି ପୋଲ ନିର୍ମାଣ କଲେନାହିଁ। ଶେଷରେ ନିଜେ ପୋଲ କାମ କରିବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଥିଲେ। ନିଜେ ଛଡ଼, ସିମେଣ୍ଟ,ବାଲି ଓ ଆବଶ୍ୟକ ସାମଗ୍ରୀ ନେଇ ଶ୍ରମଦାନ କରି ପୋଲ ନିର୍ମାଣ କରିଛନ୍ତି।
ଭଙ୍ଗା ପୋଲ ପାଇଁ ସେଠାରେ ଆମ୍ବୁଲାନ୍ସ ଅଟକି ରହୁଥିଲା। ରୋଗୀକୁ ପୋଲ ପର୍ଯ୍ୟନ୍ତ ଚାଲିବାକୁ ପଡୁଥିଲା। କମ୍ପାନି କର୍ମଚାରୀଙ୍କୁ ବାରମ୍ବାର କହିବା ପରେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ତେଣୁ ନିଜେ କାମ କଲୁ ବୋଲି ଗ୍ରାମର ଗଗନବନ୍ଧୁ ଦେହୁରୀ, ମାଧବ ପ୍ରଧାନ, ଶଶିକାନ୍ତ ଦେହୁରୀ, ଅଷାଢୁ ଦେହୁରୀ, ଧରଣୀ ଦେହୁରୀ, ଅର୍ଜୁନ ପ୍ରଧାନ, ବ୍ରଜବନ୍ଧୁ ମୁଣ୍ଡା, ପ୍ରଭାକର ଦେହୁରୀ କହିଛନ୍ତି।
ଏ ସମ୍ପର୍କରେ ସଂପୃକ୍ତ ଠିକାସଂସ୍ଥାର ଜଣେ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ପାଖରେ ଏଭଳି କୌଣସି ଖବର ନାହିଁ ବୋଲି କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp