ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

କେନ୍ଦୁଝର/ପାଟଣା : ପୁଣି ଗୁଣି ସନ୍ଦେହରେ ଗଡ଼ିଛି ଦମ୍ପତିଙ୍କ ମୁଣ୍ଡ। କିଛିଦିନ ତଳେ କେନ୍ଦୁଝରର ବାମେବାରୀ ଥାନା ଅଞ୍ଚଳରେ ଗୁଣିଗାରେଡ଼ିକୁ ନେଇ ଦୁଇଟି ମୁଣ୍ଡ ଗଡ଼ିଥିଲାବେଳେ ଆଜି ପାଟଣା ବ୍ଲକ୍‌ରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ପଲାଣଘାଟି ପଞ୍ଚାୟତ ଗୋଧିରାମପଡ଼ା ଗ୍ରାମର ମୁଣ୍ଡାସାହିରେ ରୁହନ୍ତି ରାମାଇ ମୁଣ୍ଡା(୬୪) ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା (୬୦)। ଗତକାଲି ରାତିରେ ଏହି ବୃଦ୍ଧ ଦମ୍ପତି ଖାଇପିଇ ବାରଣ୍ଡାରେ ଶୋଇଥିଲେ। କେହି ଦୁର୍ବୃତ୍ତ ଦୁହିଁଙ୍କୁ ଅତି ନିର୍ମମ ଭାବରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ହତ୍ୟା କରିଛନ୍ତି।

ଗୁଣିଗାରେଡ଼ି କାରଣରୁ ଏହି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ପୂର୍ବରୁ ରାମାଇ ମୁଣ୍ଡା ଝଡ଼ାଫୁଙ୍କା କାମ କରୁଥିଲେ। ଗତ ମଙ୍ଗଳବାର ଦିନ ନିଜ ଘରେ ମଧ୍ୟ ପାରମ୍ପରିକ ପୂଜା କରିଥିଲେ। ଏହି ପୂଜା ପାଇଁ ନିଜ ଝିଅମାନଙ୍କୁ ଘରକୁ ଡକାଇଥିଲେ। ପୂଜା ସରିବା ପରେ ବୁଧବାର ତାଙ୍କ ଝିଅମାନେ ନିଜନିଜ ଶାଶୂଘରକୁ ଚାଲିଯାଇଥିଲେ। ପୂଜାର ମାତ୍ର ତିନିଦିନ ପରେ ଅର୍ଥାତ ଶନିବାର ବିଳମ୍ବିତ ରାତିରେ ଏହି ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବଡ଼କଥା ହେଉଛି ଘଟଣା ଦିନ ରାତିରେ ତାଙ୍କର ଜ୍ବାଇଁ ମଠାଇ ମୁଣ୍ଡା (୩୫) ମଧ୍ୟ ଘରେ ଥିଲେ। ସେ ରାତିରେ ଘର ଭିତରେ ଶୋଇଥିଲାବେଳେ ତାଙ୍କ ଶାଶୂଶ୍ବଶୁର ବାରଣ୍ଡାରେ ଖଟରେ ଶୋଇଥିଲେ। ଦୁର୍ବୃତ୍ତମାନେ ମଠାଇ ମୁଣ୍ଡା ଶୋଇଥିବା ଘର ବାହାର ପଟୁ କବାଟ ବନ୍ଦ କରି ତାଲା ଲଗାଇଦେଇଥିଲେ।

ଆଜି ସକାଳୁ ଜ୍ୱାଇଁ ମଠାଇ ପାଟି କରିବାରୁ ପଡ଼ୋଶୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏପଟେ ବାରଣ୍ଡାରେ ମଶାରି ଭିତରେ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଘଟଗାଁ ଥାନା ଅଧିକାରୀ ବନ୍ଦନା ପାତ୍ର ଓ କେନ୍ଦୁଝରରୁ ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ। ଏ ବିଷୟରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର