େଓ୍ଵବ୍‌ ପୋର୍ଟାଲ୍‌ରେ ଆକ୍ଷେପ ଅଭିଯୋଗ:ତିନିଜଣଙ୍କ ବିରୋଧରେ ବିଧାୟକଙ୍କ ଏତଲା

ପାଳଲହଡ଼ା: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଏକ େଓ୍ଵବ୍‌ ପୋର୍ଟାଲ୍‌ରେ ପ୍ରସାରିତ ଖବରରେ ଆକ୍ଷେପ ଅଭିଯୋଗ ନେଇ ବିଧାୟକ ଶ୍ରୀ ସାହୁ ୩ ଜଣଙ୍କ ବିରୋଧରେ ପାଳଲହଡ଼ା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ, ଗତ ରବିବାର େଓ୍ଵବ୍‌ ପୋର୍ଟାଲ୍‌ ‘ଫାଷ୍ଟ ମେଲ୍‌’ରେ ପାଳଲହଡ଼ା ବ୍ଲକ୍‌ ଚଷାଗୁରୁଜାଙ୍ଗ ପଞ୍ଚାୟତ ଶୁଶବ ଗାଁର ଏକ ପଥର କ୍ୱାରି ସଂପର୍କିତ ତଥ୍ୟ ପ୍ରସାରିତ ହୋଇଥିଲା। ଏହି କ୍ୱାରିରେ ସ୍କୁଲ୍‌ ଛାତ୍ରଛାତ୍ରୀ ପଥର ବୋହୁଥିବା ଦୃଶ୍ୟ ପ୍ରଦର୍ଶିତ ହେବା ସହ ପୂର୍ବତନ ମଣ୍ଡଳ ବିଜେପି ସଭାପତି ନରେନ୍ଦ୍ର ଭୁକ୍ତା, ବ୍ଲକ୍‌ ବିଜେପି ଯୁବମୋର୍ଚା ସାଧାରଣ ସଂପାଦକ ରଂଜିତ ସାମଲଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଶୁଶବ ଗାଁର ଜଣେ ବ୍ୟକ୍ତି ଶାସକ ଦଳର ବାହୁଛାୟା ତଳେ ରହି ବେଆଇନ ଭାବେ ପଥର କ୍ୱାରି ଚଳାଉଥିବା ଏଥିରେ ଅଭିଯୋଗ ହୋଇଥିଲା।

ବିଧାୟକ ଶ୍ରୀ ସାହୁ ଏହି ଦୃଶ୍ୟ ପ୍ରସାରଣ କରିଥିବା ଫାଷ୍ଟ ମେଲ୍‌ର ପ୍ରତିନିଧି ସୁବ୍ରତ ଦାସ, ନରେନ୍ଦ୍ର ଭୁକ୍ତା ଓ ରଂଜିତ ସାମଲଙ୍କ ବିରୋଧରେ ଏତଲା ଦେବା ସହ ଏହାର ତଦନ୍ତ ଦାବି କରିଛନ୍ତି। ଆଜି ଅପରାହ୍‌ଣରେ ପାଳଲହଡ଼ା ଜାତୀୟ ରାଜପଥ ଡାକ ବଙ୍ଗଳାରେ ବିଧାୟକ ଶ୍ରୀ ସାହୁ ଏ ସଂପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଶୁଶବ ଗାଁରେ ଚାଲିଥିବା ପଥର କ୍ୱାରି ସଂପର୍କରେ ସେ ଜାଣିନାହାନ୍ତି, ସେଥିରେ ତାଙ୍କର ସଂପୃକ୍ତି ନାହିଁ। କ୍ୱାରି ଚଳାଉଥିବା ବ୍ୟକ୍ତି ବିଜେପିର ଜଣେ ସକ୍ରିୟ କର୍ମୀ। ଏହି ପଥର ଖଣି ସହ କୌଣସି ବିଜେଡି କର୍ମୀ ସଂପୃକ୍ତ ନାହାନ୍ତି। ତାଙ୍କୁ ଆକ୍ଷେପ କରି ମନ୍ତବ୍ୟ ଦିଆଯାଇଥିବାରୁ ଏହାର ପ୍ରତିବାଦରେ ସେ ଉପରୋକ୍ତ ୩ ଜଣଙ୍କ ବିରୋଧରେ ଏତଲା ଦେଇଥିବା ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ, ବ୍ଲକ୍‌ ବିଜେଡି କାର୍ଯ୍ୟକାରୀ ସଭାପତି ଯୋଗେଶ ଭୁକ୍ତା, ସାଧାରଣ ସଂପାଦକ ସୁଶୀଲ ସାମଲ, ଜିଲ୍ଲା ଦଳିତ ସଂଘ ସଭାପତି ସଂଜୀବ କୁମାର ବେହେରା ଉପସ୍ଥିତ ଥିଲେ।
ଅଭିଯୋଗ ସଂପର୍କରେ ଫାଷ୍ଟ ମେଲ୍‌ ପ୍ରତିନିଧି ସୁବ୍ରତ ଦାସ, ନରେନ୍ଦ୍ର ଭୁକ୍ତା ଓ ସୁଶୀଲ ସାମଲଙ୍କ ମତାମତ ନିଆଯାଇଥିଲା। ସୁବ୍ରତ କହିଛନ୍ତି, ଶୁଶବ ଗାଁ ନିକଟରେ ବର୍ଷ ବର୍ଷ ଧରି ବେଆଇନ ପଥର କ୍ୱାରି ଚାଲିଥିଲେ ବି ପ୍ରଶାସନ ପକ୍ଷରୁ ଏହା ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ। ଏଠାରେ ପିଲାଙ୍କୁ କାମରେ ନିୟୋଜିତ କରାଯାଉଛି। କ୍ୱାରି ସଂପର୍କରେ ଯେଉଁମାନଙ୍କ ପ୍ରତିକ୍ରିୟା ନିଆଯାଇଛି, ତାହା କୌଣସି ଦଳକୁ ଭିତ୍ତି କରି ନୁହେଁ। କ୍ୱାରି ଉପରେ ପ୍ରଦର୍ଶିତ ଘଟଣା ସତ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଶାସକ ଦଳର ବାହୁ ଛାୟା ତଳେ ଏହି ପଥର କ୍ୱାରି ଚାଲିଛି ବୋଲି ନରେନ୍ଦ୍ର ଭୁକ୍ତା ଅଭିଯୋଗକୁ ଦୋହରାଇଛନ୍ତିି। ସେ ବିଧାୟକଙ୍କୁ ଆକ୍ଷେପ କରିନାହାନ୍ତି। ସେହିଭଳି ବିଧାୟକଙ୍କ ପ୍ରତି ସେ କିଛି ମନ୍ତବ୍ୟ ଦେଇନଥିବା ରଂଜିତ ସାମଲ କହିଛନ୍ତି। ବିଧାୟକ ତାଙ୍କ ବିରୋଧରେ ଭୁଲ୍‌ରେ ଏତଲା ଦେଇଥିବା ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ବିଧାୟକଙ୍କ ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର