ଯୋଡ଼ା: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଅତି ଅମାନବୀୟ ଭାବେ ଛୁରିରେ ଆକ୍ରମଣ କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଯୋଡ଼ା ଥାନା ବିଲେଇପଦା ଫାଣ୍ତି ଅନ୍ତର୍ଗତ ଲହଣ୍ତା ଗ୍ରାମରେ। ସମ୍ପୃକ୍ତ ମହିଳା ଜଣକ ହେଲେ ଗୁରା ମୁଣ୍ଡାଙ୍କ ପତ୍ନୀ ନିତିମା ମୁଣ୍ଡା। ସେ ଚମ୍ପୁଆ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟା ସମୟରେ ଗୁରା ଘରକୁ ଆସି ପତ୍ନୀ ନିତିମାଙ୍କୁ ଭାତ ଖାଇବାକୁ ମାଗିଥି‌ଲେ। ନିତିମା ଘର କାମରେ ବ୍ୟସ୍ତ ଥିବାରୁ ଖାଇବାକୁ ଦେବାରେ ବିଳମ୍ବ ‌ହୋଇଥିଲା। ଏହି ଘଟଣାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ସ୍ବାମୀ ଗୁରା ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଛୁରିରେ ଅତି ଅମାନବୀୟ ଭାବେ ପତ୍ନୀ ନିତିମାଙ୍କ ପେଟ, ମୁଣ୍ଡ, ହାତ ଓ ଶରୀରର ଅନ୍ୟ ସ୍ଥାନକୁ ଆଘାତ ଦେଇଥିଲା। ବାରମ୍ବାର ଛୁରାଘାତ ଯୋଗୁଁ ନିତିମାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଜୀବନ ବଞ୍ଚାଇବା ପାଇଁ ନିକଟସ୍ଥ ମୁଟୁଦା ଗ୍ରାମରେ ଥିବା ବାପାଘରକୁ ନିତିମା ଦୌଡ଼ି ପଳାଇ ଆସିଥିଲେ। ବାପଘର ଲୋକେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବାପଘର ଲୋକଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଗୁରାକୁ ଗିରଫ କରିଛି ବୋଲି ବିଲେଇପଦା ଫାଣ୍ତି ଅଧିକାରୀ ରଞ୍ଜନ କୁମାର ବିଶ୍ବାଳ କହିଛନ୍ତି।