ଆନନ୍ଦପୁର: ଘସିପୁରା ବ୍ଲକ ଦେଓଗାଁର କୁଶଳେଶ୍ବରଙ୍କ ପୀଠରେ ପ୍ରସିଦ୍ଧ ଜାଗରମେଳାକୁ ଆଉ ମାତ୍ର ଦୁଇଦିନ ରହିଲା। ହେଲେ ଅଦ୍ୟାବଧି ପ୍ରସ୍ତୁତି ବୈଠକ ହୋଇନଥିବାରୁ ଲୋକଙ୍କ ମଧ୍ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମେଳାରେ ଦୋକାନ ପାଇଁ ଜାଗା ମାପ କରିବାକୁ ଯାଇଥିବା ରାଜସ୍ବ ବିଭାଗର କର୍ମଚାରୀଙ୍କୁ ସ୍ଥାନୀୟ ଲୋକମାନେ ଫେରାଇ ଦେଇଛନ୍ତି। ଦେବୋତ୍ତର ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇ ନଥିବାବେଳେ ଚଳିତବର୍ଷ ମେଳାରେ ବିଭ୍ରାଟ ହେବାନେଇ ଆଶଙ୍କା ପ୍ରକାଶ ପାଇଛି।
ଅଭିଯୋଗ ଅନୁସାରେ ଗତ କିଛିବର୍ଷ ହେଲା ଦେଓଗାଁ ଜାଗରମେଳାର ପ୍ରସ୍ତୁତି ବୈଠକ କୁଶଳେଶ୍ବର ମନ୍ଦିର ପରିସରରେ ହୋଇ ଆସୁଥିଲା। ଚଳିତବର୍ଷ ଏହି ବୈଠକ ଦେଓଗାଁରେ କରାନଯାଇ ଗତ ୧୯ ତାରିଖରେ ଆନନ୍ଦପୁର ମ୍ୟୁନିସପାଲଟି କଲ୍ୟାଣମଣ୍ତପ ନିକଟରେ ହୋଇଥିଲା। ଏହାକୁ ସ୍ଥାନୀୟ ଲୋକ ଓ ଦେଓଗାଁ ସରପ‌ଞ୍ଚ ବିରୋଧ କରିଥିଲେ। ଏ ବିଷୟରେ ସେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ। ଏଠାକାର ପ୍ରସିଦ୍ଧ ମେଳାରେ ବିଭ୍ରାଟ ସୃଷ୍ଟି କରିବାପାଇଁ କିଛି ବାହାର ଲୋକ ଉଦ୍ୟମ କରୁଥିବା ନେଇ ସ୍ଥାନୀୟ ଲୋକମାନେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଏହାସତ୍ତ୍ବେ ଗତକାଲି ମନ୍ଦିର ପରିଚାଳକ ଦୋକାନୀଙ୍କୁ ମେଳାରେ ଜାଗା ଦେବାପାଇଁ ମାପଚୁପ କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ପ୍ରସ୍ତୁତି ବୈଠକ କରିବାପରେ ଜାଗା ପ୍ରଦାନ କରିବାକୁ କହି ଏହାକୁ ବନ୍ଦ କରିଥିଲେ।
ପୁଣି ଆଜି ଅପରାହ୍‌ଣ ୩ଟାରେ ଘସିପୁରା ତହସିଲର ରାଜସ୍ବ ପରିଦର୍ଶକ ପ୍ରଫୁଲ୍ଲ କୁମାର ସେଠୀ, କେଶଦୁରାପାଳ ଆର୍‌ଆଇ ଦୁର୍ଲଭ ଚରଣ ମହାନ୍ତି, ଖାଳିଆମେଣ୍ଟା ଆର୍‌ଆଇ ଦୀପ୍ତିମୟୀ ରାଉତ, ଅମିନ ଯୁଗଳ କିଶୋର ସାହୁ, ଘସିପୁରା ଥାନା ଏଏସ୍‌ଆଇ ଈଶ୍ବର ପ୍ରଧାନ ଫୋର୍ସ ସହିତ ଜାଗା ମାପ କରିବାକୁ ଯାଇଥିଲେ। ଦେଓଗାଁ ସରପ‌ଞ୍ଚ ଅଶାନ୍ତି ବଳ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏହାକୁ ବିରୋଧ କରିଥିଲେ। ମେଳାର କୌଣସି ପ୍ରସ୍ତୁତି ବୈଠକ କରାନଯାଇ ଦୋକାନୀ ଜାଗା ଦେବାକୁ ସେମାନେ ବାରଣ କରିଥିଲେ। ଫଳରେ ରାଜସ୍ବ କର୍ମଚାରୀମାନେ ସେଠାରୁ ବାଧ୍ୟହୋଇ ଫେରିଆସିଥିଲେ। ଏନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ନେଇ ରାଜସ୍ବ ପରିଦର୍ଶକ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ଏପଟେ ଜାଗରମେଳା ଆଉ ମାତ୍ର ଦୁଇଦିନ ଥିବାବେଳେ ମେଳା ପଡିଆରେ ବିଭିନ୍ନ ଜିଲ୍ଲାରୁ ଦୋକାନୀ, ଦୋଳି ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଆସି ଭିଡ଼ ଜମାଇଛନ୍ତି। ଠିକ୍ ସମୟରେ ଜାଗା ମାପଚୁପ ନହେଲେ ସରକାରୀ ରାଜସ୍ବ ହରାଇବା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ମେଳାର ଆୟବ୍ୟୟ, ପରିଚାଳନା ନେଇ ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖାଯାଉଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟିହୋଇଛି। କେନ୍ଦୁଝର ଜିଲ୍ଲପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।