ଧର୍ମଶାଳା ହତ୍ୟାକାଣ୍ଡ:ସ୍ବାମୀ ସମେତ ୪ ଗିରଫ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଏକ ଧର୍ମଶାଳାରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ହତ୍ୟାକାଣ୍ଡର ମୁଖ୍ୟ କାରଣ ପରକୀୟା ପ୍ରୀତି ବୋଲି ପୁଲିସ ପ୍ରକାଶ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ବାମୀ ସୁଶାନ୍ତ କୁମାର ନାଏକ (୨୮), ପ୍ରଫୁଲ୍ଲ ନାଏକ (୨୩), ତବଲା ମୁଣ୍ଡିଆ, (୧୯) ଓ ଏସକେ ବିରୁ (୧୯)।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁଶାନ୍ତ ଓ ତାଙ୍କ ପତ୍ନୀ ମୀନା ନାଏକଙ୍କ ଘର ମଣ୍ଡୁଆ କୁଲାଡେରା ସାହିରେ।
ସେମାନେ ବହୁଦିନ ହେଲାଣି ଆସି କେନ୍ଦୁଝର ମାଗୁରୁଗାଡ଼ିଆରେ ରହୁଥିଲେ। ଜରି ଗୋଟାଇ ପେଟ ପୋଷୁଥିଲେ। ଘରଦ୍ବାର ନଥିବାରୁ ଜରି ଗୋଟାଇବା ବେଳେ ଯେଉଁଠି ରାତି ହୁଏ, ସେଇଠି ଶୋଇଯାନ୍ତି। ଗତ ୨୮ ତାରିଖରେ ମୀନା ଓ ପ୍ରଫୁଲ୍ଲ ରାମରାମ ଗଳିରେ ଭେଟ ହୋଇଥିଲେ। ସେଠାରେ ପ୍ରଫୁଲ୍ଲ ତାଙ୍କୁ ପ୍ରେମ ନିବେଦନ କରିଥିଲା। ହେଲେ ସେ ରାଜି ହୋଇନଥିଲେ। ଏହି ସମୟରେ ସୁଶାନ୍ତ ସେଠାରେ ପହଞ୍ଚି ମୀନାଙ୍କୁ ଦେଖି ରାଗିଯାଇଥିଲା। ଅନୈତିକ ସଂପର୍କ ରଖୁଛୁ ବୋଲି କହି ଗାଳିଗୁଲଜ କରିବା ସହିତ ଠେଲି ଦେଇଥିଲା। ମୀନା ତଳେ କଚାଡ଼ି ହୋଇପଡିଥିଲେ। ତାଙ୍କ ମୁଣ୍ଡର ପଛପଟେ ଗଭୀର ଆଘାତ ଲାଗିଥିଲା। ସେ ଛଟପଟ ହେଉଥିଲେ। ଏହାପରେ ସ୍ବାମୀ ସୁଶାନ୍ତ ଓ ପ୍ରଫୁଲ୍ଲ ମିଶି ପଥରରେ ଛେଚି ହତ୍ୟା କରିଥିଲେ।
ମୃତଦେହକୁ ଧର୍ମଶାଳା ପରିସରରେ ନେଇ ଫୋପାଡ଼ିଥିଲେ। ଏଥିରେ ଏ ଦୁହିଁଙ୍କୁ ତବଲା ମୁଣ୍ଡିଆ ଓ ଏସକେ ବିରୁ ସହଯୋଗ କରିଥିଲେ। ପୁଲିସ  ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର