ହାଟଡିହି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣକୁ କାର୍ଯ୍ୟାଦେଶ। ଅନ୍ୟ ଲୋକଙ୍କ ଆକାଉଣ୍ଟରେ ଅନୁଦାନ ରାଶି ଜମା ହୋଇଛି। ହାଟଡିହି ବ୍ଲକ୍‌ରେ ବିଭାଗୀୟ କର୍ମଚାରୀଙ୍କ ଏପରି ଦାୟିତ୍ୱହୀନତା ଯୋଗୁଁ କାର୍ଯ୍ୟାଦେଶ ପାଇ ମଧ୍ୟ ହିତାଧିକାରୀମାନେ ଗୃହ ନିର୍ମାଣ କରିପାରୁ ନାହାନ୍ତି। ବାରମ୍ବାର ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି।
ଷଡ଼ଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଦୁଃଶାସନ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ। ଆବେଦନ ସମୟରେ ସେ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କର ଆକାଉଣ୍ଟ ନମ୍ବର ଦେଇଥିଲେ। ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ବର୍ଷେ ତଳେ ଘର କରିବାପା‌ଇଁ ତାଙ୍କ ନାମରେ କାର୍ଯ୍ୟାଦେଶ ବାହାରିଥିଲା। କିନ୍ତୁ ସେ ଏ ସମ୍ପର୍କରେ ଜାଣି ନଥିଲେ। ଏପରିକି ତାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଅନୁଦାନ ମଧ୍ୟ ଆସିନଥିଲା। ୪ମାସ ତଳେ ଷଡ଼ଙ୍ଗ ପଞ୍ଚାୟତର ଜିଓଟ୍ୟାଗ୍‌ କର୍ମଚାରୀ ଫଟୋ ଉଠାଇବାକୁ ତାଙ୍କ ଘର ପାଖରେ ପହଞ୍ଚିଥିଲେ। ତାଙ୍କ ନାମରେ କାର୍ଯ୍ୟାଦେଶ ବାହାରିଥିବା ଏବଂ ତାଙ୍କୁ ୪୦ ହଜାର ଟଙ୍କା ଅନୁଦାନ ଦିଆଯାଇଥିବା ଦୁଃଶାସନ ଜାଣିବାକୁ ପାଇଥିଲେ। ସେ ତୁରନ୍ତ ବ୍ୟାଙ୍କ ଯାଇ ଆକାଉଣ୍ଟ ଯାଞ୍ଚ କରିବାରୁ ତାଙ୍କ ଆକାଉଣ୍ଟରେ ଆବାସ ଅନୁଦାନ ଜମା ହୋଇନଥିବା ଜାଣିବାକୁ ପାଇଥିଲେ। ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ବୁଝିବାରୁ ଆଇତିପୁର ପଞ୍ଚାୟତର ଅନ୍ୟଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆକାଉଣ୍ଟରେ ଉକ୍ତ ଟଙ୍କା ଜମା ହୋଇଇଥିବା ଜାଣିବାକୁ ପାଇଥିଲେ। ସେବେଠାରୁ ଦୁଃଶାସନ ବାରମ୍ବାର ବ୍ଲକ୍‌କୁ ଦୌଡ଼ୁଥିଲେ ମଧ୍ୟ ବିଭାଗୀୟ କର୍ମଚାରୀମାନେ ଆଜିକାଲି କହି ଦିନ ଗଡ଼ାଉଛନ୍ତି। ସେ ଏକ ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ପଦ‌କ୍ଷେପ ଗ୍ରହଣ କରିବାକୁ ଦୁଃଶାସନ ନିବେଦନ କରିଛନ୍ତି।