କେନ୍ଦୁଝର: ବିଦ୍ୟୁତ୍ ଚୋରି ରୋକିବା ପାଇଁ କେନ୍ଦୁଝର ସହରର ଗମ୍ଭାରିଆରେ ଏକ ବିଦ୍ୟୁତ୍ ଥାନା ପ୍ରତିଷ୍ଠା କରାଯାଇଛି। ଥାନାରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦିଆଯାଇଛି। ହେଲେ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ବିଦ୍ୟୁତ୍ ଚୋରି ରୋକିବାରେ ଥାନାଟି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଦୁଇବର୍ଷରେ ଏହି ଥାନାରେ ମାତ୍ର ଦୁଇଟି ମାମଲା ରୁଜୁ ହୋଇଛି।
ରାଜ୍ୟରେ ବିଦ୍ୟୁତ ଚୋରି ରୋକିବା ପାଇଁ ସରକାର ୩୪ଟି ବିଦ୍ୟୁତ୍ ଥାନା ପ୍ରତିଷ୍ଠା କରିଥିଲେ। କେନ୍ଦୁଝର ଜିଲ୍ଲାରେ ୨୦୧୨ ମସିହା ଜୁନ୍ ୪ ତାରିଖରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟ ଗମ୍ଭାରିଆରେ ଥିବା ୩୩/୧୧କେଭି ବିଦ୍ୟୁତ୍ ଷ୍ଟ୍ରକଚର ପରିସରରେ ବିଦ୍ୟୁତ୍ ଥାନା ଖୋଲିଥିଲା। ଏହି ଥାନା ଖୋଲିବା ପରେ ଜିଲ୍ଲାରେ ବିଦ୍ୟୁତ୍ ଚୋରି ରୋକାଯାଇପାରିବ ବୋଲି ଆଶା କରାଯାଉଥିଲା। ମାତ୍ର ଥାନାରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ଥାନାଟି କୋମାକୁ ଚାଲିଯାଇଛି। ୨ ବର୍ଷରେ ମାତ୍ର ୨ଟି ମାମଲା ରୁଜୁ ହୋଇଛି।
ବିଦ୍ୟୁତ୍ ଥାନାର କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ଏକ ଫ୍ରାଞ୍ଚାଇଜ୍ ସଂସ୍ଥା ଡିସକମ୍ ମାଧ୍ୟମରେ ବହନ କରାଯାଉଛି। ଏଥିପାଇଁ ମାସକୁ ୧ କୋଟିରୁ ଅଧିକ ଟଙ୍କା ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଦେଉଛି। ଅଗଷ୍ଟ ୨୦୧୬ରେ ଓଇଆର୍ସି ପକ୍ଷରୁ ରାଜ୍ୟର ସମସ୍ତ ୩୪ଟି ବିଦ୍ୟୁତ୍ ଥାନା ବନ୍ଦ କରିବା ପାଇଁ ଚିଠି କରାଯାଇଥିଲା। ଏହାର ଖର୍ଚ୍ଚ ବହନ ଓଇଆରସି ମନା କରିଥିଲେ। ବିଦ୍ୟୁତ୍ ଥାନାର କାର୍ଯ୍ୟରତ କର୍ମଚାରୀ ଥାନାରେ କାମ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବିଦ୍ୟୁତ ଚୋରି ସଂପର୍କିତ ଅଭିଯୋଗ ପୂର୍ବ ପରି ଥାନାରେ ହୋଇପାରିବ ବୋଲି ଶକ୍ତି ବିଭାଗ ସଚିବ ସୂଚନା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଥାନାକୁ ସରକାର ବନ୍ଦ କରିନାହାଁନ୍ତି। କେନ୍ଦୁଝର ବିଦ୍ୟୁତ୍ ଥାନାରେ କର୍ମଚାରୀ ଅଛନ୍ତି। ମାତ୍ର ସବୁବେଳେ ଥାନାରେ ତାଲା ଝୁଲୁଛି। ବିଦ୍ୟୁତ ଚୋରି ରୋକିବା ପାଇଁ ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ୍ ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ଥାନା ପ୍ରତିଷ୍ଠା ହୋଇଥିଲା ତାହା ପୂରଣ ହୋଇପାରୁ ନାହିଁ। ବିଦ୍ୟୁତ୍ ଥାନା କର୍ମଚାରୀ ବସି ବସି ଦରମା ନେଉଥିବା ଅଭିଯୋଗ ହୋଇଛି।
କୋମାରେ ବିଦ୍ୟୁତ୍ ଥାନା
/sambad/media/post_attachments/wp-content/uploads/2019/07/keonjh.jpg)