ଆନନ୍ଦପୁର/ ହାଟଡ଼ିହି: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡ ହଦଗଡ଼ ଅଭୟାରଣ୍ୟର ପିତାନାଉ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଦୁଇଟି ହାତୀଙ୍କ ମଧ୍ୟରେ ଲଢେଇ ବେଳେ ପାହାଡ଼ ଉପରୁ ଗୋଟିଏ ହାତୀ ଖସି ପଡ଼ିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ହାତୀର ମୃତ୍ୟୁ ଖବର ପାଇବା ପରେ ଆନନ୍ଦପୁର ବନଖଣ୍ଡର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଚ୍ଛେଦ କରୁଥିବା ଜଣାଯାଇଛି।

Advertisment

ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତକାଲି ୮ ଟିକିଆ ହାତୀପଲ ଜଙ୍ଗଲରେ ବୁଲୁଥିବା ସମୟରେ ଦୁଇଟି ଦନ୍ତା ହାତୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ୩୦ବର୍ଷୀୟ ଗୋଟିଏ ହାତୀ ପାହାଡ଼ରୁ ତଳକୁ ଖସି ପଡ଼ିଥିଲା। ଜଙ୍ଗଲରୁ ଖସିବା ପରେ ହାତୀଟିର ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳୁ ଆନନ୍ଦପୁର ଡିଏଫଓ, ହଦଗଡ଼ ରେଞ୍ଜର, ଅନ୍ୟ ବନ କର୍ମଚାରୀଙ୍କ ସମେତ ପ୍ରାଣୀ ଚିକିତ୍ସକ ପହଞ୍ଚି ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି। ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଡିଏଫଓ ଅଜିତ କୁମାର ଶତପଥୀ କହିଛନ୍ତି।