ହାତୀଦାନ୍ତ କିଲୋ ୩୫ ହଜାର! ୧୯ କିଲୋ ହାତୀଦାନ୍ତ ଜବତ, ୩ଗିରଫ
ଗ୍ରାହକ ବେଶରେ ଯାଇ ମୂଲଚାଲ କଲା ବନ ବିଭାଗ, ବଡ଼ ରାକେଟ୍ର ସମ୍ପୃକ୍ତି ସନ୍ଦେହ
କେନ୍ଦୁଝର : ହାତୀଦାନ୍ତ ଦର କିଲୋ ପିଛା ରଖିଥିଲେ ୩୫ ହଜାର ଟଙ୍କା। ନକଲି ଗ୍ରାହକ ସାଜି ଏହାକୁ କିଲୋ ପ୍ରତି ୨୨ ହଜାର ଟଙ୍କାରେ କିଣିବେ ବୋଲି କହିଲେ ବନ ବିଭାଗ କର୍ମଚାରୀ। ଏଭଳି ମୂଲଚାଲ ଭିତରେ ଫସି ଯାଇଥିଲେ ହାତୀଦାନ୍ତ ବେପାରୀ। ହାତୀଦାନ୍ତ ବିକ୍ରି କରିବାକୁ ଯାଉଥିବାବେଳେ ବାୟାପିଟା ଗାଁ ପାଖରେ ବନ କର୍ମଚାରୀ ୩ଜଣଙ୍କୁ କାବୁ କରିଛନ୍ତି। ସେମାନଙ୍କଠାରୁ ୧୯ କିଲୋ ହାତୀଦାନ୍ତ ସହ ଗୋଟିଏ ହୋଣ୍ଡାସିଟି କାର୍ (ଓଡି-୨୨ଏନ-୮୫୨୪) ଜବତ କରାଯାଇଛି।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୩ ମାସ ଧରି ଆନନ୍ଦପୁର ଡିଏଫ୍ଓ (ବନ୍ୟପ୍ରାଣୀ)ଙ୍କ ନେତୃତ୍ବରେ ଏକ ଟିମ୍ ହାତୀଦାନ୍ତ କାରବାର ଉପରେ ନଜର ରଖିଥିଲା। ଏଥିପାଇଁ ବିଭିନ୍ନ ସ୍ଥାନରେ ସୂଚନାଦାତାଙ୍କୁ ନିୟୋଜିତ କରାଯାଇଥିଲା। ଜଣେ ସୂଚନାଦାତା ଗତକାଲିର କାରବାର ସମ୍ପର୍କରେ ଠୋସ୍ ସୂଚନା ଦେଇଥିଲେ। ବେପାରୀଙ୍କ ପାଖରେ ୧୯ କିଲୋ ହାତୀଦାନ୍ତ ଅଛି। ସେମାନେ ଏହାକୁ କିଲୋ ପ୍ରତି ୩୫ ହଜାର ଟଙ୍କାରେ ବିକ୍ରି କରିବାକୁ ସ୍ଥିର କରିଥିଲେ। ମାତ୍ର ନକଲି ଗ୍ରାହକ ସାଜିଥିବା ବନ ବିଭାଗ କର୍ମଚାରୀ ସର୍ବାଧିକ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇପାରିବେ ବୋଲି କହିଥିଲେ। ବେପାରୀମାନେ ହାତୀଦାନ୍ତ ଗୁଡ଼ିକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ ଘଟଗାଁ ବ୍ଲକ୍ ସାମନ୍ତରାପୁରରୁ ହୋଣ୍ଡାସିଟି କାର୍ରେ ନେଉଥିବା ବେଳେ ବାୟାପିଟା ଗାଁ ପାଖରେ ଛକି ରହିଥିବା ବନ ବିଭାଗ କର୍ମଚାରୀ ସେମାନଙ୍କୁ ମାଡି ବସିଥିଲେ। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ବନ ବିଭାଗ ଅଭିଯୁକ୍ତଙ୍କ ନାମ ଗୋପନ ରଖିଛି। ଏମାନଙ୍କ ମଧ୍ୟରୁ ଜଣେ କେନ୍ଦୁଝର, ଜଣେ ଯାଜପୁର ଓ ଜଣେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ଏମାନେ ଅସଲ ବ୍ୟବସାୟୀ ନୁହଁନ୍ତି ବରଂ ମଧ୍ୟସ୍ଥି ବୋଲି ବନ ବିଭାଗ ସୂଚନା ଦେଇଛି। ଏମାନଙ୍କ ପଛରେ ଏକ ବଡ଼ ରାକେଟ କାମ କରୁଛି। ଯେଉଁମାନେ କେନ୍ଦୁଝର ସମେତ ବିଭିନ୍ନ ଜଙ୍ଗଲରୁ ହାତୀ ଶିକାର କରି ଦାନ୍ତ ବିକ୍ରି କରିଥାନ୍ତି। ଅଭିଯୁକ୍ତଙ୍କୁ ଆସନ୍ତାକାଲି ସକାଳେ କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ।
ଏ ସଂପର୍କରେ ଅତିରିକ୍ତ ଦାୟିତ୍ବରେ ଥିବା ଡିଏଫ୍ଓ ଅଜିତ ଶତପଥୀ କହିଛନ୍ତି, ଦୀର୍ଘ ତିନି ମାସ ଧରି ହାତୀଦାନ୍ତ ବେପାରୀଙ୍କ ପିଛା କରୁଥିଲୁ। ଗତକାଲି ସେମାନଙ୍କୁ ଧରିବାରେ ସଫଳ ହେଲୁ। କିନ୍ତୁ ଏହା ପଛରେ ବଡ଼ ରାକେଟ କାମ କରୁଥିବାରୁ ଆହୁରି ଅଧିକ ତଦନ୍ତର ଆବଶ୍ୟକ ଥିବା ସେ କହିଛନ୍ତି।