ତେଲକୋଇ/କାଳିଆପାଣି: କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ଭେଜଡ଼ିହି ଗାଁରେ ରାତିରେ ଧାନ ଖଳାରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସୁଡ଼ୁଙ୍ଗ ଗାଁର ବନମାଳୀ ମୁଣ୍ଡା (୪୭)। ସୂଚନା ଅନୁଯାୟୀ ବନମାଳୀ ଭେଜିଡିହି ଗାଁର ଜଣେ ଚାଷୀଙ୍କ ଘରେ ରହି କାମ କରୁଥିଲେ। ରାତିରେ ସବୁ ଦିନ ପରି ମାଲିକଙ୍କ ଧାନ ଖଳାରେ ଥିବା ଚାଳ କୁଡିଆରେ ଧାନ ଜଗିବାକୁ ଶୋଇଥିଲେ। ବନମାଳୀ ଶୋଇଥିବା ବେଳେ ଦୁଇଟି ଦନ୍ତା ହାତୀ ଖଳାକୁ ପଶି ଆସି ତାଙ୍କୁ ଶୁଣ୍ଢରେ କଚାଡି ମାରିବା ସହ ଖଳାରେ ଥିବା ଧାନକୁ ଖାଇ ନଷ୍ଟ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ବନମାଳୀଙ୍କ ମୃତ୍ୟୁ ଘଟିଥିଲା ।
ଠିକ୍ ସେହିପରି ତେଲକୋଇ ରେଞ୍ଜ ଗୋଳାଗାଡ଼ିଆ ଗ୍ରାମରେ ପଶି ଏକ ଦନ୍ତାହାତୀ ଘର ଭାଙ୍ଗିଛି। କାନ୍ଥ ପଡ଼ି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଛାମୁଣ୍ଡା ମୁଣ୍ଡାସାହିର ସ୍ବର୍ଗତ ସୁନିଆ ମୁଣ୍ଡାଙ୍କ ପୁଅ ଦାମ ମୁଣ୍ଡା (୫୦)। ସେ ନିଜ ଶ୍ଵଶୁରଘର ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡ଼ିଆ ମୁଣ୍ଡାସାହିକୁ ତିନିଦିନ ହେଲା ଯାଇଥିଲେ। ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ଏକ ଦନ୍ତାହାତୀ ରାତି ପ୍ରାୟ ୧୧ଟାବେଳେ ଗାଁରେ ପଶିଥିଲା। ଧାନଚାଉଳ ଖାଇବା ପାଇଁ ଘର ଭାଙ୍ଗି ଦେଇଥିଲା। ଘରର କାନ୍ଥ ପଡ଼ିଯିବାରୁ ଦାମ ଆହତ ହୋଇଛନ୍ତି। ଦୁଇଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଦନ୍ତାଟି ଗ୍ରାମର ଫୁଲମଣି ମୁଣ୍ଡାଙ୍କ ଦୁଇବଖରା ଘର ଭାଙ୍ଗି ଚାଉଳ ଖାଇଦେଇଛି। ଆସବାବପତ୍ର ନଷ୍ଟ କରିଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ନଗଡ଼ା ନିକଟ ତଳଡିହ ଜୁଆଙ୍ଗ ବସ୍ତି ପାଖ ଜଙ୍ଗଲରେ ଆଜି ରାତିରେ ଏକ ବଣୁଆ ହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଗୁରା ପ୍ରଧାନଙ୍କ ପୁଅ ଚକରା(୨୩) ଓ ରାଧୁଆ ପ୍ରଧାନଙ୍କ ପତ୍ନୀ ବର୍ଷା(୨୮)। କାଳିଆପାଣି ଶନିବାର ସାପ୍ତାହିକ ହାଟ ସାରି ସଂଧ୍ୟାରେ ଚକରା ନାଲିଆଡାବରୁ ଜଙ୍ଗଲିଆ ପାହାଡ଼ି ରାସ୍ତାରେ ୩ କିଲୋମିଟର ଦୂର ତଳଡିହସ୍ଥିତ ଘରକୁ ଯାଉଥିବା ସମୟରେ ହାତୀ ତାଙ୍କୁ ଦଳି ଦେଇଥିଲା। ତାଙ୍କ ଅଣ୍ଟା, ମୁଣ୍ଡ ଓ ପେଟରେ ଗୁରୁତର ଆଘାତ ଲାଗିଛି। ହାତୀ ଦେଖି ପ୍ରାଣ ବିକଳରେ ଦୌଡ଼ୁଥିବା ବର୍ଷା ପଥୁରିଆ ରାସ୍ତାରେ ପଡ଼ିଯାଇ ଖଣ୍ଡିଆ ଖାବରା ହୋଇଛନ୍ତି। ଗ୍ରାମବାସୀ ଭାରରେ ଆହତ ଦ୍ବୟଙ୍କୁ ମେଡିକାଲ ନେବା ଯୋଜନା କରିଥିଲେ ହେଁ ଗାଁରୁ ନାଲିଆଡାବ ବାଟରେ ହାତୀ ଥିବା ଜାଣି ଆସିନାହାନ୍ତି। ରାତି ୧୦ ସୁଦ୍ଧା ବନପାଳ ନରେଶ କୁମାର ଟୁଡ଼ୁ ଓ ଓମ୍ବାଡ୍ସି ଆମ୍ବୁଲାନ୍ସ କର୍ମଚାରୀ ମୁକ୍ତିକାନ୍ତ ମହାନ୍ତ ସଦଳବଳ ନାଲିଆଡାବରେ ପହଞ୍ଚିବା ପରେ ତଳଡିହ ବସ୍ତିକୁ ଯାଇ ୨ ଆହତଙ୍କୁ ଉଦ୍ଧାର ଯୋଜନା କରୁଥିବା ସୂଚନା ମିଳିଛି। ଏସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭାଶିଷ ଜେନାଙ୍କୁ ଯୋଗାଯୋଗ କରିବାରେ ହାତୀ ଆକ୍ରମଣରେ ୨ଜଣ ଆହତ ହୋଇଥିବା ଖବର ମିଳିଛି। ସେମାନେ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/ele-24.jpg)