ତେଲକୋଇ: ହାତୀ ଉପଦ୍ରବ ଯୋଗୁଁ ତେଲକୋଇ ବ୍ଲକ୍ର ପାଞ୍ଚଶହ ଏକର ଜମିରେ ଧାନଚାଷ ହୋଇପାରି ନଥିଲା। ଏସବୁ ଜମି ପଡ଼ିଆ ପଡ଼ିଥିଲା। ଅନ୍ୟପକ୍ଷରେ ଯେଉଁସବୁ ଜମିରେ ଚାଷ ହୋଇଥିଲା ଏବେ ସେଠାରେ ଧାନ ପାଚି ଅମଳ ଅପେକ୍ଷାରେ ରହିଛି। ଏଭଳି ସ୍ଥିତିରେ ହାତୀପଲ ପଶି ପାଚିଲା ଧାନ ଖାଇ ଯାଉଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି।
ତେଲକୋଇ ବ୍ଲକ୍ରେ ମୋଟ ଚାଷଜମିର ପରିମାଣ ହେଉଛି ୧୫ ହଜାର ୬୫୦ ହେକ୍ଟର। ଏଥିରୁ ୮୯୫୦ ହେକ୍ଟର ଜମିରେ ଧାନଚାଷ କରାଯାଇଥାଏ। ଦୁଇତିନ ବର୍ଷ ହେବ ହାତୀ ଉପଦ୍ରବ ଯୋଗୁଁ ୫୦୦ ଏକର ଜମି ପଡ଼ିଆ ପଡ଼ୁଛି। ଆକୁଳ, ଶିରିଗିଡ଼ା, ବିମଳା, ରାଇସୁଆଁ, ପଡ଼ାଙ୍ଗ, କରମଙ୍ଗି, ଭୀମକାଣ୍ଡ, ଖୁଣ୍ଟାପଡ଼ା ଓ କାଳିଆହତା ପଞ୍ଚାୟତର ଅନେକ ଜମିରେ ଧାନଚାଷ କରୁନାହାନ୍ତି ଚାଷୀ। ସେହିପରି ଏଠାରେ ଆବଶ୍ୟକ ଜଳସେଚନ ସୁବିଧା ନଥିବାରୁ ଚାଷୀମାନେ ବର୍ଷା ଉପରେ ନିର୍ଭର କରି ସଅଳ କିସମ ଧାନ ବିହନକୁ ବ୍ୟବହାର କରି ଚାଷ କରିଥାନ୍ତି। ତେଣୁ ଆକୁଳ, ଭୀମକାଣ୍ଡ, ଶିରିଗିଡ଼ା, ରାଇସୁଆଁ, ବିମଳା, ଦେଉଳଡିହା, ପୁରୁଯୋଡ଼ା ଆଦି ପଞ୍ଚାୟତରେ ଏବେ ଧାନ ପାଚି ଅମଳ ଅପେକ୍ଷାରେ ରହିଛି। ବିଲରେ ପଶି ହାତୀପଲ ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରିଦେଉଛନ୍ତି।
ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନରେ ଏବେ ୩ଟି ଦଳରେ ୩୭ଟି ହାତୀ ବୁଲୁଛନ୍ତି। ପୁରୁଷୋତ୍ତମପୁର ଜଙ୍ଗଲରେ ୧୬, ମଲଣ୍ଡା ଜଙ୍ଗଲରେ ୧୪ ଓ ଆକୁଳ ଜଙ୍ଗଲରେ ୭ଟିକିଆ ହାତୀପଲ ଅଛନ୍ତି। ସଞ୍ଜ ନଇଁବା ମାତ୍ରେ ହାତୀପଲ ବିଲରେ ପଶି ଧାନ ଖାଇବା ସହ ଫସଲ ଉଜାଡ଼ୁଛନ୍ତି। ଚାଷୀମାନେ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଅପରାହ୍ଣ ୪ଟାରୁ ବିଲହୁଡ଼ାରେ ନିଆଁ ଜାଳି ଜଗି ରହୁଛନ୍ତି। ତଥାପି ହାତୀପଲ ଜମିରେ ପଶି ଧାନ ଖାଉଥିବା ଚାଷୀମାନେ କହିଛନ୍ତି। ସେହିପରି ତେଲକୋଇରେ ପ୍ରତିଦିନ ହାତୀ-ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଛି। ହାତୀପଲ ଗାଁରେ ପଶି ଲୋକଙ୍କ ଘରଦ୍ବାରା ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ କରୁଛନ୍ତି। ଅନ୍ୟପକ୍ଷରେ କ୍ଷୟକ୍ଷତି ଅନୁପାତରେ ସହାୟତା ରାଶି ବହୁତ କମ୍ ମିଳୁଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସହାୟତା ପାଇଁ ଆବେଦନ କରୁନାହାନ୍ତି।
ହାତୀ ମୁହଁରେ ଯାଉଛି ପାଚିଲାଧାନ: ତେଲକୋଇରେ ୩ ଦଳ ହୋଇ ବୁଲୁଛନ୍ତି ୩୭ ହାତୀ
/sambad/media/post_attachments/wp-content/uploads/2023/10/b7cf6e42-5598-4e46-9e98-9bcb747f0d02.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)