ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମର ଅଗ୍ରଣୀ ଚାଷୀ ଦିବାକର ମହାନ୍ତଙ୍କ ହାଇଟେକ୍‌ ନର୍ସରିରେ ବିନା ମାଟିରେ ପ୍ରସ୍ତୁତ ହେଉଛି ପରିବା ଓ ଫୁଲ ଚାରା। ଦିବାକରଙ୍କ ହାଇଟେକ୍‌ ନର୍ସରି ଦେଖିବା ପାଇଁ ଭୁବନେଶ୍ୱରର ଓୟୁଏଟି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଉଦ୍ୟାନ ବିଭାଗ, ଇପିକଲ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଭିଡ଼ ଜମୁଛି। ଏହାଛଡ଼ା ଏହି ନର୍ସରିକୁ ପରିଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରୁ ଚାଷୀମାନେ ମଧ୍ୟ ଆସିଥାନ୍ତି। ୬ ବର୍ଷ ତଳେ ରାଜ୍ୟର ପ୍ରାକ୍ତନ ଦକ୍ଷତା ବିକାଶ ପରାମର୍ଶଦାତା ଡ. ସୁବ୍ରତ ବାଗଚୀଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏହି ହାଇଟେକ୍‌ ନର୍ସରି ପରିଦର୍ଶନ କରି ଉନ୍ନତମାନର ଚାଷ ସମ୍ପର୍କରେ ଅବଗତ ହୋଇଥିଲେ।
ଦିବାକର ୨୦୧୬ରେ ଏହି ହାଇଟେକ୍‌ ନର୍ସରି ଆରମ୍ଭ କରିଥିଲେ। ଏଠା‌ରେ ବିନା ମାଟିରେ ସେ ବିଭିନ୍ନ ପ୍ରକାର ଫୁଲ ଓ ପରିବା ଯଥା, ବାଇଗଣ, ଟମାଟୋ, ଫୁଲକୋବି, ବନ୍ଧାକୋବି, ଲଙ୍କା, ଅମୃତଭଣ୍ଡା, ସଜନା, କଲରା, ଗେଣ୍ଡୁଫୁଲ, ଜହ୍ନି ଆଦି ଚାରା ଉତ୍ପାଦନ କରୁଛନ୍ତି। ମାଟି ପରିବର୍ତ୍ତେ ପଲ୍‌ଲାଇଟ୍‌, ଭର୍ମୀ କୋଲାଇଟ୍‌ ଓ କୋକୋପିଟ୍‌କୁ ମିଶାଇ ପ୍ଲାଷ୍ଟିକ ଟ୍ରେରେ ରଖି ଚାରା ଉତ୍ପାଦନ କରାଯାଉଛି। ପ୍ରତି ଟ୍ରେରେ  ଶହେଟି ଲେଖାଏଁ ଚାରା ଉତ୍ପାଦନ ହୋଇଥାଏ। ହାଇଟେକ୍‌ ନର୍ସରିରେ ବାଉଁଶ ଭାଡ଼ା ଉପରେ ଟ୍ରେ ଗୁଡିକ ରଖାଯାଇଥାଏ। ମାସେ ମଧ୍ୟରେ ଚାରା ଉତ୍ପାଦନ ହୋଇଥାଏ। ତାଙ୍କ ନର୍ସରିରୁ ଥରକେ ଏକଲକ୍ଷ ଚାରା ଉତ୍ପାଦନ ହୋଇଥାଏ। ପ୍ରତିବର୍ଷ ସେ ୬ରୁ ୭ ଲକ୍ଷ ଚାରା ଉତ୍ପାଦନ କରୁଥିବା ଦିବାକର କହିଛନ୍ତି।
ଗୋଟିଏ ନର୍ସରିରୁ ଚାରା ଯୋଗାଇବାରେ ସମସ୍ୟା ହେବାରୁ ଦିବାକର ଚଳିତ ବର୍ଷ ଆଉ ଏକ ନର୍ସରି ନିର୍ମାଣ କରିଛନ୍ତି। ଏଥିରୁ ସେ ୭୦ ହଜାର ଚାରା ଉତ୍ପାଦନ କରୁଛନ୍ତି। ଚାରା ଉତ୍ପାଦନ କରି ସେ ବର୍ଷକୁ ଅଢ଼ଇରୁ ତିନିଲକ୍ଷ ଟଙ୍କା ଆୟ କରୁଛନ୍ତି। ତାଙ୍କୁ ନର୍ସରି କାମରେ ପତ୍ନୀ ମଞ୍ଜୁଲତା ଓ ପୁଅଝିଅ ସାହାଯ୍ୟ କରୁଛନ୍ତି। ପୁଅ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ଝିଅ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ପଢ଼ୁଛନ୍ତି। ନର୍ସରି ସହ ଦିବାକର ୨ ଏକର ଜମିରେ ପରିବା ଚାଷ ମଧ୍ୟ କରିଛନ୍ତି। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ କେନ୍ଦୁଝର ଗର୍ବ ଓ ଶ୍ରେଷ୍ଠ ଉଦ୍ୟୋଗବିତ୍‌ ଭାବେ ସମ୍ବର୍ଦ୍ଧିତ କରାଯାଇଛି।

Advertisment