ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମର ଦାସସାହିରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ୮ଟି ପରିବାରର ୧୨ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଜଣେ ବୃଦ୍ଧା ଆହତ ହୋଇଛନ୍ତି। ଆଜି ଅପରାହ୍‌ଣ ୫ଟା ୧୫ମିନିଟରେ ରମେଶ ପାଳଙ୍କ ଚୁଲିରୁ ନିଆଁ ନିଆଁ ଉଠି ଅଗ୍ନିକାଣ୍ଡ ଘଟିଥିଲା। କିଛି ସମୟ ମଧ୍ୟରେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା।

Advertisment

ଅଗ୍ନିକାଣ୍ତରେ ଚିନ୍ତାମଣି ଦାସ, ନରହରି ଦାସ, ମଙ୍ଗୁଳ ଦାସ, ରମାକାନ୍ତ ଦାସ, ପ୍ରକାଶ ପାଳ, ରମେଶ ପାଳ, ଶରତ ଚନ୍ଦ୍ର ଦାସ, ରଂଜିତା ଦାସଙ୍କ ୧୨ ବଖରା ଘର ଓ ଗୁହାଳ ପୋଡ଼ିଯାଇଛି। ଘରେ ଥିବା ଧାନଚାଉଳ, ଟଙ୍କା, ସୁନା ଅଳଙ୍କାର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ୪ଟି ଗାଈବାଛୁରୀ ଏବଂ ୭ଟି ଛେଳି ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ହେମଲତା ଦାସ (୬୫) ନାମକ ଜଣେ ବୃଦ୍ଧା ଆହତ ହୋଇଛନ୍ତି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡ଼ି ପହଞ୍ଚି ଦୁଇଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବିପନ୍ନ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ଖୋଲା ଆକାଶ ତଳେ ପଡ଼ିଛନ୍ତି। ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।