ପିଠିରେ ବଢ଼ୁଛି ମାଂସ ପିଣ୍ଡୁଳା, ଚିକିତ୍ସାରେ ଅର୍ଥ ବାଧକ

କେନ୍ଦୁଝର,: ଆଦିବାସୀ ଶିଶୁର ପିଠିରେ ମାଂସ ପିଣ୍ଡୁଳା ବଢ଼ୁଥିବା ବେଳେ ଅର୍ଥାଭାବ ଯୋଗୁଁ ଅସ୍ତ୍ରୋପଚାର ହୋଇପାରୁନାହିଁ। କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକ ରାଇଗଡ଼ା ପଞ୍ଚାୟତ ବିରିନ୍ଦା ଗ୍ରାମର ବିଶୁ ଦେହୁରୀ ଓ ସୁଶିଳା ଦେହୁରୀଙ୍କ ୩ ମାସର ଶିଶୁପୁତ୍ର ପିଠିରେ ଏକ ମାଂସ ପିଣ୍ଡୁଳା ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ହେଲେ ଅର୍ଥାଭାବରୁ ଅସ୍ତ୍ରୋପଚାର ହୋଇପାରୁନି। ଫଳରେ ମାଂସ ପିଣ୍ଡୁଳା ବଢ଼ି ଚାଲିଛି। ବିଶୁଙ୍କ କହିବା ଅନୁସାରେ, ଡିସେମ୍ବର ୩୧ ତାରିଖରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁପୁତ୍ର ଜନ୍ମ ହୋଇଥିଲା। ଜନ୍ମ ବେଳେ ଶିଶୁଟିର ପିଠିରେ ଏକ ଛୋଟିଆ ମାଂସ ପିଣ୍ଡୁଳା ଥିଲା। ବର୍ତ୍ତମାନ ତାହା ଧିରେଧିରେ ବଢ଼ୁଛି। ଶିଶୁକୁ ଯନ୍ତ୍ରଣା ହେଉଥିବାରୁ ସେ ପ୍ରବଳ କାନ୍ଦୁଛି ବୋଲି ବିଶୁ କହିଛନ୍ତି। ପୁଅକୁ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ତାଙ୍କୁ କଟକ ଶିଶୁଭବନ ନେଇଯିବାକୁ ପରାମର୍ଶ ଦେଇଥିଲେ। ହେଲେ ଦିନ ମଜୁରିଆ ବିଶୁ ଅର୍ଥାଭାବରୁ ପୁଅକୁ କଟକ ନେଇପାରୁ ନାହାନ୍ତି। ଶିଶୁପୁତ୍ରର ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର