ରେମାଳ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି: ଦମକଳ ବାହିନୀ ଲୋକଙ୍କୁ ନାଳ ପାର କରାଇଲା

ହରିଚନ୍ଦନପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ନଦୀନାଳ ଗୁଡିକ ଫୁଲି ଉଠିଛି। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ହରିଚନ୍ଦନପୁର – ରେବଣାପଳାସପାଳ ରାସ୍ତାର ବଡଶିଆଡିମାଳ ଗ୍ରାମ ନିକଟ ରେମାଳ ନାଳର ଘୋଷରା ପୋଲ ଉପରେ ୩ ଫୁଟ ଉଚ୍ଚର ବଢି ପାଣି ପ୍ରବାହିତ ହେଉଥିଲା । ଉଭୟ ପାର୍ଶ୍ଵରେ ଲୋକମାନେ ଅପରାହ୍ନ ୨ଟାରୁ ଅପେକ୍ଷା କରି ରହିଥିଲେ। ବଢି ପାଣି କମିଲେ ଘରକୁ ଯିବେ ବୋଲି। କିନ୍ତୁ ଅପରାହ୍ନ ସାଢ଼େ ୫ ଟା ପର୍ଯ୍ୟନ୍ତ ପାଣି ନକମିବାରୁ ଲୋକମାନେ ଦମକଳ ବାହିନୀ ଓ ହରିଚନ୍ଦନପୁର ଥାନାକୁ ଜଣାଇଥିଲେ।

ଖବର ପାଇ ଉଭୟ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ବ୍ରମଙ୍କ ନେତୃତ୍ବରେ ହାବିଲଦାର ସୁରେଶ କୁମାର ଜେନା , ଅଗ୍ନିଶମ କର୍ମଚାରୀ ସନ୍ତୋଷ ସାମଲ, କାଶୀନାଥ ସାହୁ, ଅଶୋକ କୁମାର ପ୍ରଧାନ, ପତିତ ବେହୁରା ପ୍ରମୁଖ ନାଳରେ ଦଉଡି ଲଗାଇ ଦେଢ଼ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ନାଳ ପାର କରାଇଥିଲେ। ଏଥିସହିତ କିଛି ବାଇକ ମଧ୍ୟ ପାର କରାଇଥିଲେ। ତେବେ ସନ୍ଧ୍ୟାରେ ପାଣି ଟିକିଏ କମିଥିଲେ ମଧ୍ୟ ଯାତ୍ରୀବାହୀ ବସ ଏବଂ ଅନ୍ୟାନ୍ୟ ଛୋଟ ଗାଡି ଗୁଡିକ ନାଳର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା। ସେହିପରି ଶଗଡ଼ପଟା – ଟସରଅଡା ରାସ୍ତାର ଶଗଡ଼ପଟା ଗ୍ରାମ ନିକଟରେ ଥିବା ଯାଉଁରିଆ ପୋଲ ଉପରେ ଗତ ତିନି ଦିନ ହେଲା ବଢି ପାଣି ପ୍ରବାହିତ ହେଉଛି। ଫଳରେ ପଞ୍ଚାୟତର ୮ଟି ଗ୍ରାମବାସୀ ଏହି ରାସ୍ତା ଦେଇ ପଞ୍ଚାୟତ ହେଡ କ୍ୱାର୍ଟରକୁ ସିଧାସଳଖ ନଆସି ଭୟା ଭଗାମୁଣ୍ଡା ଦେଇ ଆସୁଛନ୍ତି। ନଦୀର ଅପର ପାର୍ଶ୍ଵରେ ଥିବା ଛାତ୍ରଛାତ୍ରୀମାନେ ଶଗଡ଼ପଟା ହାଇସ୍କୁଲକୁ ପଢିବାକୁ ଆସିପାରୁନାହାନ୍ତି।

ସମ୍ବନ୍ଧିତ ଖବର