ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବହୁବର୍ଷ ହେଲା ଏକ ବିପଦସଙ୍କୁଳ ଘରେ ଚାଲୁଛି। କାର୍ଯ୍ୟାଳୟର କାନ୍ଥ ଫାଟି ଆଁ କରିଥିବାରୁ ଏଠାରେ କାମ କରୁଥିବା କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହୋଇଛି।
୨୦୧୩ରେ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସଂସ୍କାର ଆଣିଥିଲେ। ଶିକ୍ଷା ଜିଲ୍ଲା ଅଧିକାରୀ ଓ ଉପଶିକ୍ଷା ଅଧିକାରୀ ପଦବିକୁ ଉଚ୍ଛେଦ କରି ପ୍ରତ୍ୟେକ ବ୍ଲକ୍ ପାଇଁ ଗୋଟିଏ ବିଇଓ ପଦବି ସୃଷ୍ଟି କରିଥିଲେ। ବିଇଓଙ୍କ ଅଧୀନରେ ବ୍ଲକ୍ର ସମସ୍ତ ବିଦ୍ୟାଳୟ ରହିବ। ସରକାରଙ୍କ ଏହି ନିଷ୍ପତ୍ତି ପରେ ଘସିପୁରାରେ ପୂର୍ବରୁ ଥିବା ସର୍ବଶିକ୍ଷା ଅଭିଯାନର ଗୋଷ୍ଠୀ ସାଧନ କେନ୍ଦ୍ରରେ ବିଇଓଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଏହି ଗୋଷ୍ଠୀ ସାଧନ କେନ୍ଦ୍ରର ଗୃହଟି ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସଭାଗୃହ ଅସୁରକ୍ଷିତ ଅବସ୍ଥାରେ ରହିଥିବା ବେଳେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ହେବ ତାଲା ଝୁଲୁଛି। ଏହି ଅସୁରକ୍ଷିତ ଗୃହରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପିଲା ପାଠ୍ୟପୁସ୍ତକ ରଖାଯାଉଛି।
ଅବଶିଷ୍ଟ ତିନିଟି ଗୃହରେ ଏବିଇଓ ଓ ଅନ୍ୟ କର୍ମଚାରୀ ବସୁଛନ୍ତି। ଘର ଗୁଡ଼ିକ ଅତି ବିପଜ୍ଜନକ ଅବସ୍ଥାରେ ରହିଛି। କାନ୍ଥ ଓ ବିମ୍ ଫାଟି ଆଁ କରିଛି। ବର୍ଷାଦିନେ ଘରେ ପାଣି ଗଳୁଛି। ବୈତରଣୀ ନଦୀ କୂଳରେ କାର୍ଯ୍ୟାଳୟଟି ରହିଥିବାରୁ ଅନେକ ସମୟରେ ବିଷଧର ସାପ ପଶିଆସୁଛନ୍ତି। ଫଳରେ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ ଏଠାକୁ ଆସୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଜୀବନ ପ୍ରତି ବିପଦ ରହୁଛି। ସେହିପରି ବିଇଓଙ୍କ କାର୍ଯ୍ୟାଳୟକୁ ସଂଯୋଗ କରିଥିବା ଏକମାତ୍ର ରାସ୍ତାର ଅବସ୍ଥା ମଧ୍ୟ ନକହିବା ଭଲ। ଏହି ରାସ୍ତାଟି ପାଣିକାଦୁଅ ଭର୍ତ୍ତି ହୋଇଥିବାରୁ ଶିକ୍ଷକ ଓ କର୍ମଚାରୀମାନେ ବର୍ଷାଦିନେ ବହୁ କଷ୍ଟରେ ଯାତାୟତ କରୁଛନ୍ତି। ୧୦ ବର୍ଷ ମଧ୍ୟରେ ଶିକ୍ଷା ଅଧିକାରୀଙ୍କ ପାଇଁ ନୂତନ କାର୍ଯ୍ୟାଳୟଟିଏ ନିର୍ମାଣ ହୋଇପାରୁ ନଥିବାରୁ ଏହାକୁ ନେଇ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/b01e061b-d101-42d2-a24f-d28fd469f237.jpeg)