ଯୁବତୀଙ୍କୁ ଅପହରଣ ସନ୍ଦେହରେ ଯୁବକଙ୍କୁ ମାଡ଼:ମହିଳାଙ୍କ ଥାନା ଘେରାଉ

ହାଟଡ଼ିହି,: ହାଟଡ଼ିହି ବ୍ଲକ ନନ୍ଦିପଦା ଗ୍ରାମର ଜଣେ ଯୁବତୀଙ୍କୁ ଅପହରଣ କରିବାରେ ସହାୟତା କରିଥିବା ସନ୍ଦେହ କରି ସେହି ଗ୍ରାମର ଜଣେ ଯୁବକକୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ। ସମ୍ପୃକ୍ତ ଯୁବକଙ୍କ ମା’ ଏନେଇ ନନ୍ଦିପଦା ଥାନାକୁ ଏତଲା ଦେବାକୁ ଯାଇଥିବା ବେ‌ଳେ ପୁଲିସ ଏତଲା ଗ୍ରହଣ ନକରିବାରୁ  ଶତାଧିକ ମହିଳା ଥାନା ଘେରାଉ କରିଛନ୍ତି। ଥାନାରେ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ନନ୍ଦିପଦା ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲପାଉଥିଲେ। ଉଭୟ ଘରୁ ପଳାଇ ଯାଇଥିଲେ। ଏନେଇ ଯୁବତୀଙ୍କ ପରିବାର ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତର ବାପାକୁ ଥାନାକୁ ଆଣି ପଚରା ଉଚରା କରୁଥିଲା। ସେହି ଗ୍ରାମର ଗଜେନ୍ଦ୍ର ଦାସ ଥାନାକୁ ଆସି ସମ୍ପୃକ୍ତ ଯୁବକ ଯୁବତୀଙ୍କୁ ଡକାଇ ଆଣିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଘରକୁ ନେଇଆସିଥିଲା। ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକ ଉତ୍ତ୍ୟକ୍ତ ‌ହୋଇ ଗଜେନ୍ଦ୍ରକୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ।
ଗଜେନ୍ଦ୍ରଙ୍କ ମା’ ମାଳତୀ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିବାକୁ ଆସିଥିବା ବେଳେ ପୁଲିସ ଅଭିଯୋଗ ଗ୍ରହଣ ନକରି ଫେରାଇ ଦେଇଥିଲା। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।  ସକାଳୁ ମାତାଜୀ ଦାସ, ଳକ୍ଷ୍ମୀପ୍ରିୟା ଦାସ, ତିଳୋତ୍ତମା ଦାସ, ଭଗବତୀ ଦାସ, ଶକୁନ୍ତଳା ଦାସ, କନକ ଦାସ, କବିତା ଦାସ, ମଲ୍ଲିକା ଦାସ, ରତନ ଦାସ, ଝରଣା ଦାସ, କୁସୁମା ଦାସ, ଭାରତୀ ଦାସ, ବେଙ୍ଗ ଦାସ, ହୀରାମଣି ଦାସ, ମନ୍ଦୋଦରୀ ଦାସ, ଚମ୍ପା ଦାସ, ସରସ୍ୱତୀ ଦାସ, ପାକିଲି ଦାସ, ରେଣୁବଳା ଦାସଙ୍କ ସମେତ ଶତାଧିକ ମହିଳା ନନ୍ଦିପଦା ଥାନା ଘେରାଉ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଖବର ପାଇ ଆନନ୍ଦପୁର ଆଇଆଇସି ଗଗନ କୁମାର ବିଶ୍ୱାଳ, ସୋସୋ ଥାନାଧିକାରୀ ଗଗନ ନାୟକ ନନ୍ଦିପଦା ଥାନାରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କ ସହ ଆଲୋଚନା କରିଥିଲେ। ଥାନାରେ ଅଟକ ଥିବା ସଂପୃକ୍ତ ଯୁବକ ଓ ଯୁବତୀଙ୍କୁ ପରିବାରକୁ ହସ୍ତାନ୍ତର କରିବା ଓ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର