ଗଛକଟାକୁ ବିରୋଧ କରିବାରୁ ୱାର୍ଡସଭ୍ୟାଙ୍କ ସ୍ବାମୀଙ୍କୁ ହାଣିଲେ

ଆନନ୍ଦପୁର/ହାଟଡିହି : ‌କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଞ୍ଚୁଗୋଛିଆ ଗ୍ରାମରେ ବେଆଇନ ଗଛକଟାକୁ ୧୫ ନମ୍ବର ୱାର୍ଡର ୱାର୍ଡସଭ୍ୟା ବିରୋଧ କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ୱାର୍ଡସଭ୍ୟାଙ୍କ ସ୍ବାମୀ ଉତ୍ତମ କୁମାର ନାୟକ (୪୦)ଙ୍କୁ ଖଣ୍ତାରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, କିଛିଦିନ ହେଲା ଗ୍ରାମର ଏକ ସ୍ଥାନରେ ବେଆଇନ ଭାବେ ଗଛ କଟାଯାଇ ମନରେଗାରେ ଏକ ନିର୍ମାଣ କାମ କରିବାକୁ ଯୋଜନା ଚାଲିଛି। ଏହାକୁ ବିରୋଧ କରୁଥିବା ୱାର୍ଡସଭ୍ୟା ଆରତି ନାୟକଙ୍କୁ ଗତକାଲି ପୂର୍ବାହ୍ଣରେ ଗ୍ରାମର ଦୁଇ ଯୁବକ ଗାଳିଗୁଲଜ କରିଥିଲେ। ଆଜି ପୂର୍ବାହ୍ଣ ୧୦ଟା ବେଳେ ବାଡ଼ିରେ ଏକ ବାଛୁରି ପଶିବାକୁ କେନ୍ଦ୍ରକରି ପୁଣି ପାଟିତୁଣ୍ତ ହୋଇଥିଲା। ଗ୍ରାମର ଦୁଇଜଣ ଯୁବକ ଉତ୍ତମଙ୍କୁ ଆକ୍ରମଣ କରିଥିଲେ। ଜଣେ ଯୁବକ ଏକ ଖଣ୍ତାରେ ଉତ୍ତମଙ୍କୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ତ ଓ ହାତରେ ଗଭୀର ଆଘାତ ଲାଗିଛି। ଏନେଇ ୱାର୍ଡସଭ୍ୟାଙ୍କ ଝିଅ ଶୁଭଶ୍ରୀ ନାୟକ ଆନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଆନନ୍ଦପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ବୟାନ ରେକର୍ଡ କରିଛି। ଅନ୍ୟପକ୍ଷରେ ବିପକ୍ଷ ଗୋଷ୍ଠୀର ମାଳତୀ ନାୟକ ନାମକ ଜଣେ ଯୁବତୀ ଉତ୍ତମ ନାୟକ ଓ ତାଙ୍କ ଭାଇଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ବାଛୁରି ଉତ୍ତମଙ୍କ ବାଡ଼ିରେ ପଶିଥିଲା। ସେ ବାଛୁରି ଆଣିବାକୁ ଯାଇଥିବା ବେଳେ ଉତ୍ତମ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଆକ୍ରମଣ କରିଥିବା ମାଳତୀ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ପକ୍ଷଙ୍କ ଏତଲା ଆଧାରରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର