ବନ୍ଧୁକମୁନରେ ସୁନା ଦୋକାନୀଙ୍କ ଘରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲ୍ଲା ଟୁକୁଣା ଗ୍ରାମରେ ସଶସ୍ତ୍ର ଡକାୟତି

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଟୁକୁଣା ଗ୍ରାମରେ ଘଟିଛି ସଶସ୍ତ୍ର ଡକାୟତି। ୬ଜଣ ଡକାୟତ ଗୃହକର୍ତ୍ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାରୁପାର ଗହଣା। ଘଟଣାଟି ଘଟିଛି ଗତକାଲି ବିଳମ୍ବିତ ରାତିରେ।

ଗ୍ରାମର ପବିତ୍ର ଦାସ ଜଣେ ସୁନା ଦୋକାନୀ ହୋଇଥିଲା ବେଳେ ତାଙ୍କର ଛେନାପଦି ଛକରେ ଏକ ଗହଣା ଦୋକାନ ଅଛି। ଗତକାଲି ରାତି ଗୋଟାଏ ବେଳେ ଡକାୟତମାନେ ଝରକା ଗ୍ରିଲ ତାଡ଼ି ଘର ଭିତରକୁ ପଶି ପବିତ୍ର ଓ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇ ୨୦୦ଗ୍ରାମର ସୁନା ଓ ୭କିଲୋରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଆଦି ଲୁଟି ନେଇଥିଲେ। ଏପରିକି ଘରୁ ଗୋଟିଏ ଏଲ. ଇ.ଡି ନେବା ସହିତ ଘରେ ଥିବା ମିଠା ଖାଇବା ସହିତ ଚା’ ଦେବାକୁ ବି ବାଧ୍ୟ କରିଥିଲେ। ଖବର ପାଇ ଆଜି ସକାଳୁ ନନ୍ଦିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଗତ ଦେଢ଼ ବର୍ଷ ତଳେ ପବିତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ୧୭ ଲକ୍ଷ ଟଙ୍କାର ଗହଣା ଲୁଟିନେଇଥିଲେ।

ସମ୍ବନ୍ଧିତ ଖବର