ହ୍ୟାଣ୍ଡବଲ ଖେଳର ଏନ୍ତୁଡିଶାଳ କେନ୍ଦୁଝର; ଏଠୁ ଖେଳ ଆରମ୍ଭ କରିଥିବା ଅନେକ ଖେଳାଳୀ ଏବେ ସୁପରିଚିତ

କେନ୍ଦୁଝର: ହ୍ୟାଣ୍ଡବଲ ଖେଳର ଏନ୍ତୁଡିଶାଳ ପାଲଟିଛି କେନ୍ଦୁଝର। କେନ୍ଦୁଝର ହ୍ୟାଣ୍ଡବଲ ପଡିଆରୁ ଖେଳ ଆରମ୍ଭ କରିଥିବା ଅନେକ ଖେଳାଳୀ ଏବେ ଜାତୀୟ ଓ ଆନ୍ତର୍ଜତୀୟସ୍ତରରେ ମ୍ୟାଚ‌ ଖେଳିବା ସହିତ ରେଫରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଖାଲି ସେତିକି ନୁହେଁ, କେନ୍ଦୁଝରକୁ ଦେଖି ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ଏହି ଖେଳ ପ୍ରତି ଆଗ୍ରହ ବଢ଼ିଲାଣି।

କେନ୍ଦୁଝର ଜିଲ୍ଲାରେ ପ୍ରଥମେ ୧୯୭୪ ମସିହାର ଏହି ହ୍ୟାଣ୍ଡବଲ ଖେଳ ଆରମ୍ଭ ହୋଇଥିଲା। ଦିବଂଗତ ଦୁଃଶାସନ ଦେଓ ହ୍ୟାଣ୍ଡବଲ ଖେଳ ଆରମ୍ଭ କରିଥିବା ବେ‌ଳେ କେନ୍ଦୁଝର ଜିଲ୍ଲାରେ ଏହି ଖେଳ ସଂପର୍କରେ ପ୍ରାୟତଃ କେହି ଜାଣି ନଥିଲେ। ତେବେ ଦେଓଙ୍କ ଘର କେନ୍ଦୁଝର ଜିଲ୍ଲା ହୋଇଥିବାରୁ ଏହି ଖେଲଟି କେନ୍ଦୁଝରରେ ଆରମ୍ଭ ହୋଇଥିଲା ଏବଂ କେନ୍ଦୁଝରର କିଛି ପିଲା ଏହି ଖେଳ ଅଭ୍ୟାସ କରିଥିଲେ। ଇତିମଧ୍ୟରେ ଏହି ଖେଳ ଆରମ୍ଭ ହେବାର ପ୍ରାୟ ୪୮ ବର୍ଷ ହେଲାଣି। ଏହି ୪୮ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ହ୍ୟାଣ୍ଡ‌ବଲ ଖେଳ ଅନେକ କିଛି ଆଗେଇ ସାରିଲାଣି। କେନ୍ଦୁଝରରୁ ଆରମ୍ଭ ହୋଇଥିବା ଏହି ଖେଳ ଏବେ ସମଗ୍ର ରାଜ୍ୟକୁ ବ୍ୟାପି ସାରିଲାଣି। ଏହି କେନ୍ଦୁଝର ଜିଲ୍ଲାରୁ ମଧ୍ୟ ଅନେକ ଖେଳାଳି ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତିଅର୍ଜନ କରି ସାରିଲେଣି। କେନ୍ଦୁଝର ସହରରୁ ଇମ୍ରାନ ଖାନ୍, ଶିଦ୍ଧାର୍ଥ ଗୌତ୍ତମ ନନ୍ଦ ଆନ୍ତର୍ଜାତୀୟ ହ୍ୟାଣ୍ଡବଲ ଖେଳି ଓଡ଼ିଶା ତଥା କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ସାଉଁଟିଛନ୍ତି। ଖାଲି ସେତିକୁ ନୁହେଁ ସଂଖ୍ୟାଧିକ ‌ଖେଳାଳି ‌ସ୍ପୋର୍ଟସ୍‌ କୋଟାରେ ମଧ୍ୟ ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ପାଇଛନ୍ତି।

ତେବେ କେନ୍ଦୁଝର ହ୍ୟାଣ୍ଡବଲ କ୍ରୀଡାର ସବୁଠୁ ବଡ଼ ସଫଳତା ହେଉଛନ୍ତି ପ୍ରଣୟ ପାଣି। ସେ ଏହି ଖେଳ ପଡିଅ୍ରାରୁ ଅଭ୍ୟାସ କରି ଏବେ ଆନ୍ତର୍ଜତୀୟ ରେଫରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଖାଲି ସେତିକି ନୁହେଁ ବିଭିନ୍ନ ଦେଶ ବିଦେଶରେ ହ୍ୟାଣ୍ଡବଲ ରେଫରୀ ଭାବେ ସେ ଯୋଗ ଦେଇ କେନ୍ଦୁଝର ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଇତିମଧ୍ୟରେ ହ୍ୟାଣ୍ଡବଲ ଖେଳାଳୀଙ୍କ ଅଭ୍ୟାସ ପାଇଁ ଜିଲ୍ଲା ପ୍ରଶାସନ ଦୁଇଟି ସିନ୍ଥେଟିକ ହ୍ୟାଣ୍ଡବଲ କୋର୍ଟ ପ୍ରତିଷ୍ଠା କରି ସାରିଛନ୍ତି। ଯାହାକି ସମଗ୍ର ଭାରତବର୍ଷରେ ପ୍ରଥମ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ଏଠାରେ ହ୍ୟାଣ୍ଡବଲ କୋର୍ଟ ସହିତ ଛୋଟଛୁଆଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ଖେଳାନା ସ୍ଥାପନ କରିଯାଇଥିବା ବେଳେ ଖେଳାଳୀଙ୍କ ପାଇଁ ଓପନ ଜିମ୍, ଲୋକମାନେ ଯୋଗ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଚାଲିବା ପାଇଁ ୱାକିଂ ପାଥ୍ ଏବଂ ଅନ୍ୟାନ୍ୟ ଶାରିରୀକ ବିକାଶ ପାଇଁ ବ୍ୟବସ୍ଥା ହୋଇଛି । ଏହି ଷ୍ଟାଡିୟମଟି ୧.୬ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ଏଥି ପାଇଁ ୩ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ଏହି ସିନ୍ଥେଥେଟିକ୍ ଟର୍ଫ ଯୋଗୁଁ ଖେଳାଳୀଙ୍କ ଉଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି କରିବ । ପୂର୍ବରୁ ‌କେନ୍ଦୁଝର ଖେଳାଳୀମାନେ ପଡିଆରେ ଖେଳୁଥିଲେ । ଫଳରେ ବର୍ଷା ହେଲେ କାଦୁଅ ଆଉ ସୁଖିଲା ହେଲେ ଧୂଳି ଉଡୁଥିଲା । ଖେଳିବା ପାଇଁ ପ୍ରତିଦିନ ଚୁନ ପକାଇ ଖର୍ଚ୍ଚାନ୍ତ ହେଉଥିଲେ । ତେବେ ବର୍ତ୍ତମାନ ଆଉ ଏହି ସମସ୍ୟା ରହିବ ନାହିଁ । ସଂଧ୍ୟା ହେଲେ ଖେଳି ପାରୁନଥିଲେ । ହେଲେ ବର୍ତ୍ତମାନ ଚକଚକ ଲାଇଟରେ ରାତିରେ ମଧ୍ୟ ଖେଳାଳୀମାନେ ଅଭ୍ୟାସ କରିପାରିବେ । କେନ୍ଦୁଝରର ଖେଳାଳୀମାନେ ଖୋଲା ପଡ଼ିଆରେ ଅଭ୍ୟାସ କରି ରାଜ୍ୟ ବାହାରେ ସିନ୍ଥେଟିକ୍ ଟର୍ଫରେ ଖେଳିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ବର୍ତ୍ତମାନ ଏଠାରେ ଅଭ୍ୟାସ କରିବା ପରେ ଖେଳାଳୀଙ୍କ ଦକ୍ଷତା ବଢିବ ବୋଲି କହିଛନ୍ତି ଆନ୍ତର୍ଜତୀୟ ରେଫରୀ ପ୍ରଣୟ ପାଣି।

ସେହିପରି କେନ୍ଦୁଝର ହ୍ୟାଣ୍ଡବଲ ସଂଘର ସଂପାଦକ ତଥା ରାଜ୍ୟ କମିଟିର ଅଧ୍ୟକ୍ଷ ରିତିକ ଅଧିକାରୀ କହିଛନ୍ତି, ଏଠାରେ ଦୁଇଟି ସିନ୍ଥେଟିକ୍‌ କୋର୍ଟ ହେବା ଦ୍ବାରା ପିଲାମାନଙ୍କର ଅଭ୍ୟାସ ଭଲ ଭାବେ ହୋଇପାରୁଛି। ମାତ୍ର କୋଚ ଏବଂ ଆବଶ୍ୟକୀୟ ସରଂଜାମ ବ୍ୟବସ୍ଥା ନ ଥିବାରୁ ଟିକେ ସମସ୍ୟା ଉପୁଜୁଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ।

ସମ୍ବନ୍ଧିତ ଖବର