କେନ୍ଦୁଝର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଜଣେ ପ୍ରଧାନଶିକ୍ଷକଙ୍କୁ ଆଜି କେନ୍ଦୁଝର ସିଜେଏମ ସସ୍ମିତା ପାଢୀ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ବାଂଶପାଳ ବ୍ଲକ ଉପରପଣସନସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ଓ ବାଳିକାଙ୍କ ପାଇଁ ପରିସ୍ରାଗାରା ନିର୍ମାଣ କରିବା ପାଇଁ ୨୦୦୯ ମସିହାରେ ୮ ଲକ୍ଷ ୯୮ ହଜାର ୫ ଶହ ଟଙ୍କା ସରକାରୀ ଅନୁଦାନ ଆସିଥିଲା। ଏହାର ନିର୍ମାଣ କାର୍ଯ୍ୟ ପ୍ରଧାନଶିକ୍ଷକ ଜଟିଆ ମୁଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ଦୁ‌େର୍ଯ୍ୟାଧନ ଜୁଆଙ୍ଗଙ୍କ ଦାୟିତ୍ବରେ ହେଉଥିଲା। ଦୁହେଁ ଅଧା କାର୍ଯ୍ୟ କରି ସଂପୂର୍ଣ୍ଣ ବିଲ୍ ଉଠାଇ ନେଇଥିଲେ। ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ବାରମ୍ବାର ତାଗିଦ କରିଥିଲେ ମଧ୍ୟ ସେମାନେ କରିନଥିଲେ। ଦୁହେଁ ମିଶି ସମସ୍ତ ଅର୍ଥ ଉଠାଇ ନେଇଥିବା ଡିପିସି ଜାଣିବାକୁ ପାଇଥିଲେ। ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ଆକଳନ କରିବାରୁ ୨ ଲକ୍ଷ ୫୯ ହଜାର ଟଙ୍କା ଖର୍ଚ୍ଚ କରି ଅବଶିଷ୍ଟ ୬ ଲକ୍ଷ ୩୯ ହଜାର ୫ ଶହ ଟଙ୍କା ଦୁହେଁ ମିଶି ହଡ଼ପ କରିଥିବା ଜଣାପଡ଼ିଥିଲା। ତେଣୁ ତତ୍କାଳୀନ ଡିପିସି ବାଂଶପାଳ ବିଇଓ ସତ୍ୟାନନ୍ଦ ମିଶ୍ରଙ୍କୁ କାଞ୍ଜିପାଣି ଥାନାରେ ଏତଲା ଦେବାକୁ ନିର୍ଦେଶ ଦେଇଥିଲେ। ୨୦୧୪ ଅକ୍ଟୋବର ୯ ରେ କାଞ୍ଜିପାଣି ଥାନରେ ଏତଲା ଦିଆଯାଇଥିଲା। ଏହି କେସରେ ସିଜେଏମ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଶୁଣିବା ପରେ ଆଜି ଶ୍ରୀ ମୁଣ୍ଡାଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଦୁଇ ବର୍ଷ ପୂର୍ବେ ଦୁ‌େର୍ଯ୍ୟାଧନ ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି। ଏହି କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ଦାସ ପରିଚାଳନା କରୁଥିଲେ।