କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ମୋଟ ୩୧ଟି ଖଣିର ୨୩ ଜଣ ଖିଲାପକାରୀ ଖଣି ଲିଜ୍ଧାରୀମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ହେବା ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୯ ଖଣି ଲିଜ୍ଧାରୀଙ୍କ ଶୁଣାଣି ଆରମ୍ଭ ହୋଇଛି । ତେବେ ଆଜିର ଏହି ଶୁଣାଣିରେ ମୋଟ ୯ ଲିଜ୍ଧାରୀଙ୍କୁ ନୋଟିସ୍ ହୋଇଥିଲେ ବି ସେମାନଙ୍କୁ ମଧ୍ୟରୁ ମୋଟ ୭ ଜଣ ଲିଜ୍ଧାରୀ ଉପସ୍ଥିତ ରହି ନିଜର ପକ୍ଷ ରଖିବା ପାଇଁ ଅଧିକ ସମୟ ମାଗିଛନ୍ତି । ଆସନ୍ତା ଅଗଷ୍ଟ ୨୫ ଓ ସେପ୍ଟେମ୍ବର ୧ ତାରିଖରେ ଏହି ଲିଜ୍ଧାରୀଙ୍କର ପୁଣି ଶୁଣାଣି ହେବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଯୋଡା ଖଣି ମଣ୍ଡଳର ୨୮ଟି ଖଣିର ୨୦ ଜଣ ଲିଜ୍ଧାରୀ ଏବଂ କେନ୍ଦୁଝର ଖଣି ମଣ୍ଡଳର ୩ଟି ଖଣିର ୩ ଜଣ ଲିଜ୍ଧାରୀ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶମତେ ଜରିମାନା ଦାଖଲ ନ କରିବାକୁ ଗତ ମେ ୨୪ ତାରିଖରେ ଖଣି ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ସାର୍ଟିଫିକେଟ କେସ୍ କରାଯାଇଥିଲା । ଏହି କେସ୍ ଆଧାରରେ ଗତ ଜୁନ୍ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ ପରେ ୯ଟି ଖଣି ଲିଜ୍ଧାରୀଙ୍କର ଶୁଣାଣି ଜୁଲାଇ ୨୮ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିଲା । ତେବେ ଆଜିର ଶୁଣାଣଇ ବେଳେ ୭ଜଣ ଲିଜ୍ ଧାରୀ ଉପସ୍ଥିତ ଥିଲେ । ଲିଜଧାରୀ ବି.କେ.ମହାନ୍ତି ଅନୁପସ୍ଥ୍ିତ ଥିଲେ । ସେହିପରି ଲିଜ୍ଧାରୀ ବାସୁଦେବ ଅଗ୍ରଓ୍ଵାଲଙ୍କ ମୃତ୍ୟୁ ହୋଇଥିବାରୁ ସେ ଆସି ନ ଥିଲେ । ତେବେ ମୋଟ ୭ଜଣ ଲିଜ୍ ଧାରୀ ଉପସ୍ଥିତ ରହି ପକ୍ଷ ରଖିବାକୁ ଆଉ ଅଧିକ ସମୟ ଦେବା ପାଇଁ ଆବେଦନ କରିଥିଲେ । ଫଳରେ ଏହି ୭ ଜଣ ଲିଜ୍ଧାରୀଙ୍କ ମଧ୍ୟରୁ ମେସର୍ସ ନାରାୟଣୀ ସନ୍ସକୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଶୁଣାଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଅବଶିଷ୍ଟ ୬ଟି ଖଣି ଲିଜ୍ଧାରୀଙ୍କ ଶୁଣାଣୀ ପାଇଁ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଧାର୍ଯ୍ୟ ହୋଇଛି । ସେହପରି ଅନ୍ୟ ଲିଜ୍ଧାରୀଙ୍କ ମଧ୍ୟରୁ ଅଗଷ୍ଟ ୪ ତାରିଖରେ ୮ଜଣ ଲିଜ୍ଧାରୀ ଏବଂ ଅଗଷ୍ଟ ୧୮ ତାରିଖରେ ଅବଶିଷ୍ଟ ୬ ଲିଜ୍ଧାରୀଙ୍କର ଶୁଣାଣି ହେବ ବୋଲି ସୂଚନା ମିଳିଛି ।