ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ବାଂଶପାଳ ବ୍ଲକ ଗୋନାଶିକା ପଞ୍ଚାୟତ ଅନ୍ତର୍ଗତ ଗୁପ୍ତଗଙ୍ଗା ଗାଁରେ ଅସହାୟା ବିଧବା ଦର୍ପଣୀ ପେଣ୍ଠେଇଙ୍କ ଟାଇଲି ଛପର ଘର ଭାଙ୍ଗିଯାଇଛି। ଫଳରେ ଘର ଭିତରେ ଆଶ୍ରୟ ନେଇଥିବା ଦୁଇଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିବା ସହିତ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ସୌଭାଗ୍ୟକୁ ଘର ଭିତରେ କେହି ସଦସ୍ୟ ରହିନଥିଲେ। ଫଳରେ ଏହି ଅଘଟଣରୁ ପରିବାର ଲୋକେ ସୁରକ୍ଷିତ ରହିଛନ୍ତି।
ଆଜି ସ୍ଥାନୀୟ ଅଞ୍ଚଳରେ ବର୍ଷା ଲାଗିରହିଛି। ଗ୍ରାମର ସ୍ବର୍ଗତ ଧୃବ ପେଣ୍ଠେଇଙ୍କ ପରିବାର ଗରିବ ଅସହାୟ ଓ ଦାରିଦ୍ର୍ୟର କଷାଘାତରେ ପିଡିତ। ସରକାରୀ ଗ୍ରାମୀଣ ଆବାସ ଯୋଜନାରେ ଆଜିଯାଏଁ ତାଙ୍କ ପରିବାରକୁ ପକ୍କା ଘର ଖଣ୍ଡିଏ ମିଳିପାରିନାହିଁ। ଫଳରେ ଦୁଇ ପୁଅ ବୋହୂ ଓ ନାତିନାତୁଣୀଙ୍କ ସହିତ ଗ୍ରାମର ଗଣେଶ୍ୱର ଜୁଆଙ୍ଗଙ୍କ ଘରେ ଆଶ୍ରୟ ନେଇଛନ୍ତି।
ଦର୍ପଣୀଙ୍କ ପରିବାରକୁ ସରକାରୀ ସହାୟତା ସହିତ ପକ୍କା ଘର ଯୋଗାଇ ଦେବାକୁ ଗୋନାଶିକା ସମିତି ସଭ୍ୟ କୃଷ୍ଣ ଜୁଆଙ୍ଗ ଦାବି କରିଛନ୍ତି।
Rain in Odisha