କେବଳ ବାରଣ୍ଡାରେ ଛାତ ପକାଇ ଘର ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଦର୍ଶାଇ ସଂପୂର୍ଣ୍ଣ ବିଲ୍‌ କରି ଟଙ୍କା ଉଠାଇ ନେଲେ ଯନ୍ତ୍ରୀ

ହାଟଡ଼ିହି: ଦେଖନ୍ତୁ ଏହି ଘରକୁ । ବାହାରୁ ଦେଖିଲେ ଆପଣଙ୍କୁ କ’ଣ ଲାଗୁଛି? ଚକାଚକ ଛାତଘର, ବାରଣ୍ଡା, ପୁଣି ଲାଗିଛି ଲୁହା କବାଟ । ହେଲେ ଆପଣଙ୍କ ଆଖିକୁ ଦିଆଯାଇଛି ଧୋକା । ଆପଣ ଯାହାକୁ ଛାତଘର ବୋଲି ବାହାରୁ ଦେଖି ଭାବୁଛନ୍ତି, ଅସଲରେ ତାହା ଏମିତି । ଘରେ ଆଦୌ ଛାତ ପଡିନାହିଁ, କେବଳ ବାରଣ୍ଡାରେ ପଡିଛି ଛାତ । ଛାତ ପଡିଲା ଭଳିଆ ଚାରିପାଖର କାନିସ ବାହାର କରାଯାଇଛି। ହେଲେ ଘର ପୂରା ହୋଇଯାଇଛି ବୋଲି ଦର୍ଶାଇ ପୂରା ଟଙ୍କା ବିଲ୍ କରିଛନ୍ତି ଚତୁର ଯନ୍ତ୍ରୀ ।

ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି ଦୁର୍ନୀତି କରାଯାଇଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ପଂଚାୟତର ଖଙ୍ଖୋ ବାଲିଆ ସାହିରେ । ୨୦୧୮/୧୯ ଆର୍ଥିକ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନାରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ସେହି ଅନୁସାରେ ବାଲିଆ ସାହିର ଗାଁ ମୁଣ୍ଡରେ ଆରମ୍ଭ କରାଯାଇଥିଲା ଘର । କିନ୍ତୁ ଘରର ଛାତ ପକାଯାଇ ନଥିବା ବେଳେ କେବଳ ବାରଣ୍ଡାର ଛାତ ପକାଇ ଛାତ ପଡିଲା ପରି ଚାରିପାଖର କାନିସ ବାହାର କରାଯାଇଥିଲା । ସାମ୍ନା ପାଖ ପ୍ଲାଷ୍ଟର କରି ରଙ୍ଗ କରାଯାଇଥିଲା । ଏପରିକି ଘରର ଭିତର ପାଖ ଓ ଘରର ପଛକାନ୍ଥ ପ୍ଲାଷ୍ଟର ହୋଇନି । ଡିସପ୍ଲେ ବୋର୍ଡ ମଧ୍ୟ ନାହିଁ । ଯେ କେହି ବାହାରୁ ଦେଖିବ ଘରଟି ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଭାବିବ । କିନ୍ତୁ ଘରର ଛାତ ପଡିନଥିବା ବେଳେ ଅଧାପନ୍ତରିଆ ଘରକୁ ଯନ୍ତ୍ରୀ ଜଣକ ସମ୍ପୂର୍ଣ୍ଣ ବିଲ କରି ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ହୋଇଛି।

 

୩୮ନମ୍ବର ଏମବିର ୧୦୮ପୃଷ୍ଠାରେ କନିଷ୍ଠଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତରେ ଏହାର ଫାଇନାଲ ବିଲ କରାଯାଇଛି । ତେବେ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ କହିଛନ୍ତି । ସେପଟେ ଏହି କାର୍ଯ୍ୟ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ମନୋଜ ବେହେରା ବ୍ଲକରୁ ବଦଳି ହୋଇ ସାରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦୁର୍ନ୍ନୀତୀଗ୍ରସ୍ଥ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର